ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପ ନିର୍ବାଚନ ରେ ଘଡିକେ ଘୋଡ଼ା ଛୁଟୁଛି। କେଉଁଠି ଆଶାୟୀ ପ୍ରାର୍ଥୀ ନିରାଶ ହେବାକୁ ଦେଖିବାକୁ ମିଳୁଥିବା ବେଳେ କେଉଁଠି ଦଳଗତ ଏକତା ର ଅଭାବ ଦେଖିବାକୁ ମିଳୁଛି। ଏଭଳି କି ଏହି ଉପ ନିର୍ବାଚନ ରେ ସ୍ଥାନୀୟ ପ୍ରାର୍ଥୀଙ୍କ ଗୁରୁତ୍ଵ ବେଶ୍ ବଢ଼ିଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ର ଏ ଦିଗରେ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି କିଛି ବୟୋଜ୍ୟେଷ୍ଠ ସଦସ୍ୟ। ଏଭଳି ଏକ ଘଟଣା ଆଜି ସମଗ୍ର ଜିଲ୍ଲା ରେ ଚର୍ଚା ଜୋର୍ ଧରୁଛି।
ଆସନ୍ତା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାୟ ତିନି ଜଣ ଙ୍କ ନା ଚର୍ଚ୍ଚାରେ ଆସିଥିଲା। ସେମାନେ ହେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଓ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସୁଜିତ୍ ସିଂହ। ତେବେ ସମସ୍ତଙ୍କୁ ପଛରେ ପକେଇ ଶେଷରେ ବିଧାୟକ ପ୍ରାର୍ଥୀ ରୂପେ ବିଜେପି ତରଫରୁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଆଜି ଟିକେଟ ମିଳିଛି। ଏନେଇ ଆଜି ସବୁଆଡେ ଚର୍ଚା ଜୋର୍ ଧରିଥିବା ବେଳେ ଏହାକୁ ନେଇ ବହୁ ପୁରୁଖା ବିଜେପି କର୍ମୀ ନିରାଶ ହେବା ମଧ୍ୟ ଦେଖିବାକୁ ମିଳିଛି ତଥା ବିଦ୍ରୋହ ର ଆଭାସ ମଧ୍ୟ ମିଳୁଛି ସୋସିଆଲ ମିଡିଆରେ।
ଅନ୍ୟ ପକ୍ଷରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଆଜି ନିଜ ସଭାପତି ପଦ ରୁ ଇସ୍ତଫା ଦେଇଛନ୍ତି। ୨୫ ବର୍ଷର ନିଷ୍ଠା ସହିତ କଠିନ ପରିଶ୍ରମ କଲା ପରେ ମଧ୍ୟ ଆଜି ବିଜେପି ପକ୍ଷରୁ ତାଙ୍କୁ ଗୁରୁତ୍ଵ ଦିଆନଯିବା ଘଟଣା ପରେ ବ୍ୟଥିତ ହୋଇ ଶେଷରେ ସେ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବା ସେ ତାଙ୍କ ଇସ୍ତଫା ପତ୍ର ରେ ଲେଖିଛନ୍ତି। ତେବେ ଆଗାମୀ ଉପ ନିର୍ବାଚନ ଆହୁରି କଣ କଣ ନୂଆଁ ରେକର୍ଡ ସୃଷ୍ଟି କରୁଛି ତାହା ଦେଖିବା ବାକି ରହିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

