ପୁରୀ :-
ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ଆବଶ୍ୟକ ସ୍ଥଳେ ଅଧିକ ଆଶ୍ରୟସ୍ଥଳୀର ବନ୍ଦୋବସ୍ତ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ୪ଟି ଓଡ୍ରାଫ ଟିମ ପହଞ୍ଚିଛନ୍ତି ।ଓଡ୍ରାଫର ଗୋଟିଏ ଦଳକୁ ଅସ୍ତରଙ୍ଗ ଓ ଗୋପ, ଅନ୍ୟ ତିନୋଟି ଦଳକୁ ପୁରୀ ମୁଖ୍ୟାଳୟ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ମୁତୟନ କରାଯାଇଛି । ସମସ୍ତ ଆଶ୍ରୟସ୍ଥଳୀରେ ପାଣି ଓ ଆଲୋକ ବ୍ୟବସ୍ଥା କରିବା ଏବଂ ଆବଶ୍ୟକ ପଡିଲେ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଚୁଡା, ଗୁଡ, ଚାଉଳ ମହଜୁଦ ରହିଛି । ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି । ବାତ୍ୟା ଆଶଙ୍କା ଥିବାରୁ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି । ବାଲୁଖଣ୍ତ, ଅସ୍ତରଙ୍ଗ, ବ୍ରହ୍ମଗିରି ଓ କାକଟପୁରରେ ବନ ବିଭାଗ ପକ୍ଷରୁ ୮ଟି ଟିମ ମୁତୟନ କରାଯିବ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ ପଡିବା ଦ୍ବାରା ରାସ୍ତା ଅବରୋଧ ହଟେଇବା ନିମନ୍ତେ ଜେସିବି ଓ ଟ୍ରାକ୍ଟର ମୁତୟନ କରାଯିବ । ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ଜରୁରୀକାଳୀନ ନିମନ୍ତେ ୨୦୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ମୁତୟନ କରାଯିବ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଦିଲ୍ଲିପ କୁମାର ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାୟ, ଯୋଗାଣ ଅଧିକାରୀ ଶ୍ରୀ ସୁବୋଧ ହୋତା, ବିଡିଓ ଓ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ

