Type Here to Get Search Results !

ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ

 

ଭୁବନେଶ୍ୱର :-
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୪୮ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ। ଏହା ୪ରୁ ୫ଦିନ ସମୁଦ୍ର ଭିତରେ ବଳ ଗୋଟାଇବା ପରେ ସ୍ଥଳଭାଗକୁ ଛୁଇଁବ। ଏହି ୫ଦିନରେ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ଅଧିକ। ସମୁଦ୍ରରେ ଜଳବାୟୁର ସ୍ଥିତି, ପବନର ଦିଗ ଏବଂ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶ‌ାରେ ମାଡ଼ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି। କିନ୍ତୁ ବାତ୍ୟା ଦଶହରା ପରେ ଓଡ଼ିଶାରେ ମାଡ଼ ହେବ ବୋଲି କୁହାଯାଉଛି।
ପାଣିପାଗ ମଡେଲ୍‌ ୱିଣ୍ଡି ଏବଂ ସ୍କାଏମେଟ୍ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। ୱିଣ୍ଡିର ଆକଳନ କହୁଛି ଯେ ଏହା ପୁରୀରୁ ପାରାଦୀପ ମଝିରେ ସ୍ଥଳଭାଗ ଛୁଇଁବ। ଅକ୍ଟୋବର ୧୬ ତାରିଖ ବିଳମ୍ବିତ ରାତିରେ କିମ୍ବା ୧୭ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ।
କେବଳ ବେସରକାରୀ ପାଣିପାଗ ମଡେଲ୍‌ ନୁହେଁ। ଆଇଏମ୍‌ଡି ବି ଆକଳନ କରୁଛି ଯେ ଲଘୁଚାପ ହେଉ କି ବାତ୍ୟା, ଯାହା ବି ହେବ ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସ କହିଛନ୍ତି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାପରେ ଏହା ବାତ୍ୟା ରୂପ ନେବ କି ନାହିଁ, ବାତ୍ୟା ରୂପ ନେଲେ କେତେ ଭୟଙ୍କର ହେବ ତାହା ଆକଳନ କରିହେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ଯେ ଏହି ଲଘୁଚାପ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଲଘୁଚାପ ବଳୟ ସୃଷ୍ଟି ହେବା ପରେ ସମୁଦ୍ରରେ ଏହା ୪ରୁ ୫ଦିନ ରହିବ। ତେଣୁ ଏନେଇ ସ୍ପଷ୍ଟ ଚିତ୍ର ୪୮ଘଣ୍ଟା ପରେ ଆସିବ।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶାକୁ ବାତ୍ୟା ଆସୁଛି। ଏନେଇ ଆସନ୍ତା ୨୪ରୁ ୪୮ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ଆସିଯିବ। ଅପରପକ୍ଷେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବ କି ନାହିଁ ତାହା ୧୨ତାରିଖ ବେଳକୁ ଜଣାପଡ଼ିଯିବ। କିନ୍ତୁ ଏବେ ବଙ୍ଗୋପସାଗରର ସ୍ଥିତି ଏବଂ ସ୍ଥଳଭାଗର ସ୍ଥିତି ବାତ୍ୟା ପାଇଁ ପୂରା ଅନୁକୂଳ ଅଛି। ଯଦି ଲଘୁଚାପ ବାତ୍ୟାର ରୂପ ନେବ ତେବେ ଏହାର ଗତିପଥ କେଉଁ ଦିଗରେ ରହିବ, ଏହାର ଭୟାବହତା କେତେ ରହିବ, ସ୍ଥଳଭାଗରେ କେଉଁଠି ଛୁଇଁବ, ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ, ଆନ୍ଧ୍ର ଉପରେ କେତେ ପ୍ରଭାବ ପଡ଼ିବ ତାହା ଲଘୁଚାପ ବଳୟ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ। ବାତ୍ୟା ହେଉ କି ପ୍ରବଳ ବର୍ଷା, ଯାହା ହେବ ଅକ୍ଟୋବର ୧୬ କିମ୍ବା ଏହା ପରେ ହେବ। ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଉଁ ବର୍ଷା ହେଉଛି ତାହା ବାତ୍ୟା ଗୁଲାବ୍ ଯୋଗୁଁ ବାୟୁମଣ୍ଡ‌ଳରେ ଥିବା ଜଳୀୟବା‌ଷ୍ପ ଯୋଗୁଁ ହେଉଛି। ହେଲେ ଏହାର ପ୍ରଭାବ ବିଶେଷ ନାହିଁ।
ସେହିପରି ଦକ୍ଷିଣ-ଚୀନ୍ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ବାତ୍ୟାର ରୂପ ବେନାରେ ଅଛି। ଏହାର କିଛି ଅଂଶ ଆସି ଉତ୍ତର-ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପବଳୟରେ ମିଶିପାରେ। ଏହା ହେଲେ ବାତ୍ୟା ସମ୍ଭାବନା ବଢ଼ିଯିବ ବୋଲି ସ୍କାଏମେଟ୍ ଆକଳନ କରୁଛି।

ପାଣିପାଗ ବିଶେଷଜ୍ଞ, ଆଇଏମ୍‌ଡି, ବିଭିନ୍ନ ବେସରକାରୀ ପାଣିପାଗ ମ‌େଡଲ୍‌ ବାତ୍ୟାର ପୂର୍ବାନୁମାନ କରିଥିବାରୁ ଓଡ଼ିଶା ପ୍ରତି ବାତ୍ୟାର ଭୟ ବଢ଼ିଯାଇଛି। ଅକ୍ଟୋବର ମାସରେ ଓଡ଼ିଶାରେ ନିୟମିତ ବ୍ୟବଧାନରେ ବାତ୍ୟା ହେଉଥିବାରୁ ଏବେ ଯେଉଁ ଆକଳନ କରାଯାଉଛି ତାହା ସତ ହେବାର ଆଶଙ୍କାକୁ ଏଡ଼ାଇ ହେବନି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.