Type Here to Get Search Results !

ରାଜ୍ୟରେ ଆଠଶହ ବଡଦେଓ ଅନଲାଇନ ପାଠାଗାର ପ୍ରତିଷ୍ଠା ହେବ

 


ଝାରସୁଗୁଡା :-

ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭା ଗଣ୍ଡଘୋରା ଗୁଡ଼ି ଆୟୋଜନ ସମିତି ଝାରସୁଗୁଡା ବ୍ଲକ ସଂଯୋଜନାରେ ନବ ନିର୍ମିତ ରାଜ୍ୟର ପ୍ରଥମ ବଡ଼ଦେଓ ଅନଲାଇନ ପାଠାଗାର ବ୍ରଜରାଜନଗରର ଖଲିଆକାନୀ ଗ୍ରାମରେ ନିର୍ମିତ ହୋଇଛି। ଏହାର ଶୁଭ ଉଦଘାଟନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ଦେଶ ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଖଟିଖିଆ ଗରିବ ମୁଳିଆ ମାନଙ୍କଠାରୁ ଦୂରେଇ ଦୂରେଇ ଯାଉଛି। ସୁଟ ବୁଟ ଶିକ୍ଷା ଓ ଅଙ୍ଗନବାଡି ଶିକ୍ଷା ପ୍ରଦାନ ତଥା ତାର ଆନୁଷଙ୍ଗିକ ଭିତ୍ତିଭୂମି ଓ ପରିବେଶର ତଫାତ ଆକାଶ ପାତାଳ। ଦୁଇ ହଜାରରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେପିଟେସନ ଫିସ ନେଉଥିବା ବେସରକାରୀ ସ୍କୁଲରେ ପାଠ ପଢାଇବା ଗରିବ, ଖଟିଖିଆ, ମଜୁରିଆ ପରିବାର ପିଲାମାନଙ୍କ ପାଇଁ ସ୍ୱପ୍ନ। ଅନ୍ୟ ପକ୍ଷରେ ସରକାରଙ୍କର ଅଙ୍ଗନବାଡି ଶିକ୍ଷା ପଦ୍ଧତି ବେସରକାରୀ ସହିତ ତୁଳନୀୟ ନୁହେଁ। ବର୍ତ୍ତମାନ ସରକାର ଯେଉଁ ଭଳି ଭାବରେ ବିଭିନ୍ନ ଢାଞ୍ଚାରେ ସ୍କୁଲ ଗୁଡିକ ଖୋଳୁଛନ୍ତି ସେଥିରେ ସମସ୍ତେ ଅବଗତ ଅଛନ୍ତି। ସରକାର ଖୋଲିଥିବା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ଲୋକଙ୍କର ଟେକ୍ସ ପଇସାରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୃଷ୍ଟି କରିଥିଲେ ମଧ୍ୟ ସେଠାରେ ଆବଶ୍ୟକୀୟ ଶିକ୍ଷାଦାନ ପାଇଁ ଶିକ୍ଷକ ଯୋଗାଇ ଦେଉନାହାନ୍ତି। ଏହି ଭଳି ଭାବରେ ସରକାରୀ ଶିକ୍ଷା ବ୍ୟବସ୍ଥା ଅଧା ଅଧୁରା ଭାବରେ ପଡ଼ିରହିଥିବାରୁ ଗରିବ, ଖଟିଖିଆ, ମଜୁରିଆ ପରିବାରର ପିଲାମାନେ ପ୍ରକୃତ ଶିକ୍ଷାକୁ ପହଞ୍ଚି ପାରୁ ନାହାଁନ୍ତି। ବର୍ତ୍ତମାନ ବୋଝ ଉପରେ ନଳିତା ବିଡା ପରି ଶିକ୍ଷାଦାନ ଅନଲାଇନରେ ପ୍ରଚଳିତ ହେଉଛି ଓ ଆଗକୁ ହେବ ମଧ୍ୟ ଯାହା କରୋନା ମହାମାରୀ ସମୟରେ ସମସ୍ତେ ଅନୁଭବ କରି ସାରିଛନ୍ତି। ଏହି ଶିକ୍ଷା ପଦ୍ଧତିରୁ ତଳ ଶ୍ରେଣୀର ଲୋକମାନେ ଏବଂ ନେଟୱର୍କ ଅପହଞ୍ଚ ଅଞ୍ଚଳର ପିଲାମାନେ ଶିକ୍ଷା ଗ୍ରହଣରୁ ବହିଷ୍କୃତ ହୋଇ ସାରିଲେଣି ବୋଲି ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି।

     ଏହି ପରିସ୍ଥିତି ଯୋଗୁଁ ରାଜ୍ୟ ମହାସଭା ବହୁ ଦିନରୁ ନିଷ୍ପତ୍ତି ନେଇଛି ଯେ ଓଡ଼ିଶାରେ କାର୍ଯ୍ୟ କରୁଥିବା ଅଖିଳ ଭାରତୀୟ ଗୋଣ୍ଡୱନା ଗୋଣ୍ଡ ମହାସଭାର ଆଠ ଶହ ଗୁଡିରେ ବଡ଼ଦେଓ ଅନଲାଇନ ପାଠାଗାର ପ୍ରତିଷ୍ଠା ହେବ। ବହୁ ଯାଗାରେ ଏହାର ଭିତ୍ତିଭୂମି କାର୍ଯ୍ୟ ଚାଲୁରହିଛି। ଖଲିଆକାନୀଠାରେ ନିର୍ମିତ ପାଠାଗାରର ଭିତ୍ତିଭୂମି ସହିତ ଆନୁଷଙ୍ଗିକ ଉପକରଣ ସ୍ଥାପନର ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତା ଜୁନ ଶେଷ ସପ୍ତାହରେ ଗୋଣ୍ଡୱନା ବୀରଙ୍ଗନା ମହାରାଣୀ ଦୂର୍ଗାବତୀଙ୍କ ବଳିଦାନ ଦିବସ ଅବସରରେ ଲୋକାର୍ପିତ ହେବ। ଏହା ଦ୍ୱାରା ଗୋଣ୍ଡ ସମାଜ ପିଲାମାନଙ୍କ ସହିତ ସମସ୍ତ ଗରିବ ଖଟିଖିଆ ପରିବାରର ପିଲାମାନେ ଉପକୃତ ହେବେ। ଏହି ସଭାରେ ଗଣ୍ଡଘୋରା ଗୁଡି ସଭାପତି ବରିଷ୍ଠ ଗୋଣ୍ଡ ସମାଜର ସଦସ୍ୟ ଲଳିତ ମୋହନ ଭୋଇ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଭାପତି ଡ଼ମ୍ବରୁଧର ନାଏକ, ଜିଲ୍ଲା ମହାସଚିବ ଶ୍ୟାମଲାଲ ନାଏକ, ବଲରାମ ମାଝୀ, ହେମନ୍ତ ଧୁରୁଆ, କାମଦେବ ମାଝୀ, ପ୍ରେମାନନ୍ଦ ଧୁରୁଆ, ଚୁଡାମଣୀ ଧୁରୁଆ, ତେଜରାମ ନାଏକ, ବିରଞ୍ଚି ମାଝୀ, ରୁକ୍ମଣ ଧୁରୁଆ, ସୁପ୍ରିଆ କୁମୁରା, ସିତୁ ଭୋଇ, ସୌଦାମିନୀ ନାଏକ, ବିନୋଦୀନି ପ୍ରଧାନ,ଚାନ୍ଦୁଲାଳ ଭୋଇ,ବିରଞ୍ଚି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.