ଭୁବନେଶ୍ୱର:
ଭୁବନେଶ୍ୱର ନିଖିଳ ଓଡ଼ିଶା ଭାଗବତ ଟୁଙ୍ଗି ସୁରକ୍ଷା ସମିତି,ଭୁବନେଶ୍ୱରର ରାଜ୍ୟସ୍ତରୀୟ ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ୟୁନିଟ ୪,ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଏହି ସମିତିର ଅଧ୍ୟକ୍ଷ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରତିଷ୍ଠାତା ତଥା ତତ୍ୱାବଧାରକ ଶଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଙ୍ଗଠନ ସମ୍ପାଦକ ଡଃ ନାରାୟଣ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ବରେଣ୍ୟ ଅତିଥି, ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ସଙ୍ଗଠନ ସମ୍ପାଦକ ରମେଶ ସୁନା ତଥା କୋଷାଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ତିରିଶି ଜିଲ୍ଲା ଓ ୩୧୪ ବ୍ଲକର ୫୦୦୦ରୁ ଉର୍ଦ୍ଧ୍ୱ ଭାଗବତ ପ୍ରେମୀ ସଦସ୍ୟ ଯୋଡି ହୋଇ ଭୁବନେଶ୍ୱରରେ ଏକ ବିରାଟ ସାଧାରଣ ସଭା ହେବ ଏଥିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଅନୁଷ୍ଠାନର ସଭାପତି ବକ୍ତବ୍ୟ ରଖିଥିଲେ। ଓଡ଼ିଶାରେ କିପରି ପୁରାତନ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହେବ, ସ୍ଥାଣୁ ପାଲଟିଥିବା ଭାଗବତ ଟୁଙ୍ଗି ସକ୍ରିୟ ହୋଇଉଠିବ ଓ ନୂତନ ଭାଗବତ ଟୁଙ୍ଗି ନିର୍ମାଣ କରାଯାଇ ଭାଗବତ ପ୍ରତି ଘରେ ଘରେ ପ୍ରତି ବ୍ୟକ୍ତିଙ୍କ ଠାରେ ପହଞ୍ଚିବ ତାର ଉଦ୍ୟମ ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ। ୩୦ ଜିଲ୍ଲାରୁ ଆସିଥିବା ସଭାପତି ସମ୍ପାଦକ ଓ ସକ୍ରିୟ ସଦସ୍ୟମାନେ ନିଜର ଅନୁଭୂତି ସହ ଏହାର ସଫଳ ରୂପାୟନ କାମନା କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ଭାଗବତ ପ୍ରେମୀ ଉକ୍ତ ସଭାରେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ମନୋଜ ଦାସ କରିଥିବା ବେଳେ ଧନ୍ୟବାଦ ଅର୍ପଣ ପଦ୍ମଚରଣ ଆଚାର୍ଯ୍ୟ କରିଥିଲେ।

