ଝାରସୁଗୁଡ଼ା :
ଫାଇଲେରିଆ ବା ବାତ ଜ୍ୱର ରୋଗର ସଂକ୍ରମଣକୁ ରୋକିବା ସହ ଜିଲ୍ଲାରୁ ଏହି ରୋଗକୁ ସମ୍ପୂର୍ଣ୍ଣ ନିରାକରଣ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ‘ଫୋକାଲ୍-ଏମ୍ଡିଏ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି କାର୍ଯ୍ୟକ୍ରମ ଅଧୀନରେ ବେଲପାହାଡ଼ ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଜୁରାବଗା ଗ୍ରାମ ଏବଂ ପଞ୍ଚପଡ଼ା ସହରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ଲେପ୍ରୋସି କଲୋନୀ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି। ଏହି ଦୁଇଟି ସମ୍ବେଦନଶୀଳ ଅଞ୍ଚଳରେ ଫାଇଲେରିଆ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ଏବଂ ରୋଗର ପ୍ରସାର ରୋକିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ।
ଅଭିଯାନ ସମୟରେ ଆଶା କର୍ମୀ, ଏଏନ୍ଏମ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ସେବକମାନେ ଘରକୁ ଘର ଯାଇ ସାଧାରଣ ଲୋକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ପ୍ରଦାନ କରୁଛନ୍ତି। ଔଷଧ ସେବନ ନିରାପଦ ଭାବେ ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ନିଜ ସମ୍ମୁଖରେ ଲୋକଙ୍କୁ ଔଷଧ ସେବନ କରାଉଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଏହି ଔଷଧରୁ ବାଦ ଦିଆଯାଇଛି। ଅନ୍ୟ ଯୋଗ୍ୟ ନାଗରିକଙ୍କୁ ବୟସ ଅନୁସାରେ ନିର୍ଦ୍ଧାରିତ ମାତ୍ରାରେ ଔଷଧ ପ୍ରଦାନ କରାଯାଉଛି। ଫାଇଲେରିଆ ନିରାକରଣ ପାଇଁ ଜନସାଧାରଣ ଏହି ଅଭିଯାନରେ ସହଯୋଗ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଆହ୍ୱାନ କରିଛି।

