ଭଦ୍ରକ
ବନ୍ୟାର ପ୍ରଖର ସ୍ରୋତକୁ ଖାତିର ନକରି ଜଣେ ବନ୍ୟା ବିପନ୍ନ ମହିଳାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରି ମାନବିକତା ଓ ସାହସିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଧାମନଗର ବ୍ଲକ୍ର ଆଶା କର୍ମୀ ମିନତୀ ସାହୁ। ବିପଦ ସମୟରେ ନିଜ ଜୀବନକୁ ପଛରେ ପକାଇ ଅସହାୟ ମହିଳାଙ୍କ ଜୀବନ ରକ୍ଷା କରିଥିବା ମିନତୀଙ୍କ ଏହି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।
ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରିବା ସହ ଘରଦ୍ୱାର ଜଳମଗ୍ନ ହୋଇପଡ଼ିଛି। ଏଭଳି ସମୟରେ ନଦିଗାଁ ଅଞ୍ଚଳର ଜଣେ ପ୍ରାୟ ୬୦ ବର୍ଷୀୟା ମହିଳା ବନ୍ୟାଜଳ ମଧ୍ୟରେ ଫସି ରହିଥିବା ଖବର ମିଳିଥିଲା।
ଖବର ପାଇବା ମାତ୍ରେ ଆଶା କର୍ମୀ ମିନତୀ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ୍ୟାଜଳର ପ୍ରଖର ସ୍ରୋତ ଓ ବିପଦକୁ ଅଣଦେଖା କରି ସେ ପାଣି ମଧ୍ୟରେ ପ୍ରବେଶ କରିଥିଲେ। ମହିଳାଙ୍କୁ ନିଜ କାନ୍ଧରେ ବୋହି ଜଳମଗ୍ନ ଅଞ୍ଚଳରୁ ବାହାରକୁ ଆଣି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ତାଙ୍କର ଏହି ତତ୍ପରତା ଯୋଗୁଁ ବନ୍ୟା ବିପନ୍ନ ମହିଳାଙ୍କ ଜୀବନ ସୁରକ୍ଷିତ ହୋଇପାରିଥିଲା।
ମିନତୀ ସାହୁଙ୍କ ଏହି ସାହସିକ ଓ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ ବିପଦ ସମୟରେ ମାନବିକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପାଲଟିଛି। ଜଣେ ଆଶା କର୍ମୀ ଭାବେ ନିଜ ଦାୟିତ୍ୱ ତୁଲାଇବା ସହ ଜଣେ ଅସହାୟ ମହିଳାଙ୍କୁ ଜୀବନ ବିପଦରୁ ଉଦ୍ଧାର କରିଥିବାରୁ ତାଙ୍କୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି। ବନ୍ୟା ଭଳି ଦୁର୍ବିପାକ ସମୟରେ ଲୋକଙ୍କ ସେବାରେ ନିୟୋଜିତ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠାର ଏହା ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ।
ଭଦ୍ରକରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ।

