Type Here to Get Search Results !

ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳଙ୍କ ମିଡିଆ ବ୍ରିଫିଂ

ଭଦ୍ରକ

ଭଦ୍ରକ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ସାମ୍ବାଦିକମାନଙ୍କୁ ମିଡିଆ ବ୍ରିଫିଂ ମାଧ୍ୟମରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ଜିଲ୍ଲାପାଳଙ୍କ ସୂଚନାନୁଯାୟୀ, ବର୍ତ୍ତମାନ ଜିଲ୍ଲାର ୫ଟି ବ୍ଲକ୍—ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ଓ ଭଦ୍ରକ ଏବଂ ଧୂଷୁରୀ ULB ବନ୍ୟା ପ୍ରଭାବିତ ହୋଇଛି। ମୋଟ ୪୬ଟି ଗ୍ରାମ ପଞ୍ଚାୟତ, ୨୧୨ଟି ଗ୍ରାମ ଓ ୪ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ୨,୭୯,୭୦୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବିପଦପ୍ରବଣ ଅଞ୍ଚଳରୁ ୧,୦୫,୩୮୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଏବଂ ସ୍ଥାନାନ୍ତରିତ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବନ୍ୟାଜନିତ କୌଣସି ମାନବ ମୃତ୍ୟୁ ହୋଇନାହିଁ। ଘର, କୃଷି ଓ ଉଦ୍ୟାନ କୃଷି ଫସଲର କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଜାରି।

ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଣ ପାଇଁ ୧୨୨ଟି ମୁକ୍ତ ରୋଷେଇ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ୪୦,୮୦୦ ବୋତଲ ପାନୀୟଜଳ ଓ ୬୭,୦୦୦ ପାଣି ପାଉଚ୍ ବଣ୍ଟନ କରାଯାଇଛି। ୧,୦୫୦ ରୋଲ୍ ପଲିଥିନ୍, ୧୪୭.୦୭ କୁଇଣ୍ଟାଲ୍ ଚୁଡ଼ା ଓ ୨୨.୪୫ କୁଇଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି। ଜଳ ଯୋଗାଣ ପାଇଁ ୪ଟି ମୋବାଇଲ୍ ଜଳ ବିଶୋଧନ ପ୍ଲାଣ୍ଟ ଓ ୧୯ଟି ପାଣି ଟ୍ୟାଙ୍କର ନିୟୋଜିତ ହୋଇଛି। ଉପଲବ୍ଧ ୧୧୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ମଧ୍ୟରୁ ୮୫ ମେଟ୍ରିକ୍ ଟନ୍ ବଣ୍ଟନ ହୋଇଛି।

ବନ୍ୟାରେ ୧,୧୨,୭୫୩ଟି ପଶୁସମ୍ପଦ ଓ ୧୦,୮୦୦ଟି କୁକୁଡ଼ା ପ୍ରଭାବିତ ହୋଇଛି। ପଶୁସମ୍ପଦ ମଧ୍ୟରେ ୭୮,୧୪୫ଟି ବଡ଼ ପଶୁ ଓ ୩୪,୬୦୮ଟି ଛୋଟ ପଶୁ ରହିଛନ୍ତି। ୬ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଥିବା ବେଳେ ୧,୧୦୦ଟି ପଶୁଙ୍କୁ ଟିକାକରଣ ଓ ୭୦୮ଟି ପଶୁଙ୍କୁ ଚିକିତ୍ସା କରାଯାଇଛି। ୯ଟି ପଶୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ୪୦ଟି ମେଡିକାଲ୍ ଟିମ୍ ନିୟୋଜିତ ରହିଛନ୍ତି। ୮୨୫ଟି ନଳକୂପ ବିଶୋଧିତ କରାଯାଇଥିବା ବେଳେ ୨ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ କାର୍ଯ୍ୟରତ ଅଛି। ଡାଇରିଆ ରୋଗର ୬୨ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ସୁସ୍ଥ ହୋଇ ଡିସ୍ଚାର୍ଜ ହୋଇଛନ୍ତି। ୧୨ଟି ସାପ କାମୁଡ଼ା ମାମଲା ରିପୋର୍ଟ ହୋଇଛି।

ଏଥିସହ ୫୩ ଜଣ ଗର୍ଭବତୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ବେଳେ ୧୬ଟି ପ୍ରସବ ସମ୍ପନ୍ନ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ସଂକ୍ରମଣ ବା ରୋଗ ବ୍ୟାପିବାର ରିପୋର୍ଟ ନାହିଁ।

ଉଦ୍ଧାର ଓ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ୪ଟି ODRAF ଟିମ୍ ନିୟୋଜିତ ଅଛନ୍ତି। ଭଣ୍ଡାରିପୋଖରୀର ସୋଲମପୁର ଓ ରହଣିଆ, ଧାମନଗରର ସେନ୍ଧାପୁର ଓ ଅର୍ଜୁନପୁର, ତିହିଡ଼ିର ଗୋବିନ୍ଦପୁର ଓ ତିହିଡ଼ି तथा ଚାନ୍ଦବାଲିର ଆରଡ଼ି ଓ ନାଳଗୁଣ୍ଡା ଅଞ୍ଚଳରେ ଏହି ଟିମ୍‌ଗୁଡ଼ିକ ନିୟୋଜିତ ରହିଛନ୍ତି। ତିହିଡ଼ିରେ ୧ଟି NDRF ଟିମ୍ ଏବଂ ଧାମନଗରରେ କଟକରୁ ୨ଟି ଅତିରିକ୍ତ ଅଗ୍ନିଶମ ସେବା ଟିମ୍ ନିୟୋଜିତ ହୋଇଛି।

ବନ୍ୟା ପରିସ୍ଥିତିରେ ଜୀବନ ରକ୍ଷା, ବିପଦପ୍ରବଣ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର, ଖାଦ୍ୟ ଓ ସୁରକ୍ଷିତ ପାନୀୟଜଳ ଯୋଗାଣ, ଚିକିତ୍ସା ଓ ପଶୁ ଚିକିତ୍ସା ସେବା, ପରିମଳ ଏବଂ ଜଳବାହିତ ରୋଗ ପ୍ରତିରୋଧକୁ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେଇଛି। ବନ୍ୟା ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖା ଯାଇଥିବାବେଳେ ସମସ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ଜାରି ରହିଛି। ଭଦ୍ରକ ଜିଲ୍ଳାରୁ ଶୁଭ୍ରଜିତ ପାଲଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.