ଭିକମପାଲି :
ସୁନ୍ଦରଗଡ଼ ଅଞ୍ଚଳରୁ 3ଟି ଜଙ୍ଗଲୀ ହାତୀ ଝାରସୁଗୁଡା ଜିଲ୍ଲା ଭିକମପାଲି ଜଙ୍ଗଲକୁ ପ୍ରବେଶ କରିଥିବା ସୂଚନା ମିଳିଛି, ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ରାତିରେ ଏକାକୀ ଜଙ୍ଗଲ କିମ୍ବା ଚାଷଜମିକୁ ନଯିବାକୁ ପରାମର୍ଶ ଦିଆଯାଇଛି। ହାତୀମାନଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖିଥିବା ବେଳେ, ବେଲପାହାଡ଼ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ନାଏକ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।
ଏହି ଅଭିଯାନରେ ଫରେଷ୍ଟର ସରୋଜ ଖମାରୀ, ସଙ୍ଗୀତା ସାମନ୍ତରାୟ, ଫରେଷ୍ଟ ଗାର୍ଡ ଯୁଧିଷ୍ଠିର ବାରୁ, ଲିପିରାଣୀ କର, ହର୍ଷବର୍ଦ୍ଧନ ମିଶ୍ରଙ୍କ ସହ ଫରେଷ୍ଟ ସ୍କ୍ୱାଡର ମିଲନ ଦାଶ, ମୋତିଲାଲ ବାଗର, ଖଗେଶ୍ୱର ସାହୁ, ଅଜୟ ପିଙ୍ଗ, ଦୁର୍ବାଦଳ ଭୋଇ ଏବଂ ଝାରସୁଗୁଡ଼ା ମୋବାଇଲ ସ୍କ୍ୱାଡର ସଦସ୍ୟମାନେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ହାତୀଙ୍କ ନିକଟକୁ ନଯିବା, ଫଟୋ କିମ୍ବା ଭିଡିଓ ଉଠାଇବା ପାଇଁ ଭିଡ଼ ନକରିବା ଏବଂ କୌଣସି ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ଝାରସୁଗୁଡା ରୁ ସମୀର ଙ୍କ ରିପୋର୍ଟ ।

