Type Here to Get Search Results !

ଉତ୍କଳ ସମ୍ମିଳନୀ ଝାରସୁଗୁଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କୁ ସୌଜନ୍ୟ ସାକ୍ଷାତ

ଝାରସୁଗୁଡା :

ଉତ୍କଳ ସମ୍ମିଳନୀ ଝାରସୁଗୁଡା ଶାଖାର ନବଗଠିତ ଜିଲ୍ଲା କମିଟି ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ଏହି ଅବସରରେ ସଂଗଠନର ନବଗଠିତ କମିଟିର ପରିଚୟ ପ୍ରଦାନ କରାଯିବା ସହ ଉତ୍କଳ ସମ୍ମିଳନୀର ଆଗାମୀ କାର୍ଯ୍ୟଯୋଜନା ଓ ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର-ପ୍ରସାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରତିନିଧି ଦଳରେ ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା, ଜିଲ୍ଲା ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ରାଉତ ଓ ଶ୍ରୀ କିଶୋର କୁମାର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀମତୀ କିରଣବାଳା ନାୟକ, ଜିଲ୍ଲା ସମ୍ପାଦକ ଶ୍ରୀ ଦେବାନନ୍ଦ ବାରିକ ଓ ଶ୍ରୀ ଚିତ୍ତରଞ୍ଜନ ବେହେରା ଏବଂ ଜିଲ୍ଲା କୋଷାଧକ୍ଷ ଶ୍ରୀମତୀ ମହାମାୟା କର ଉପସ୍ଥିତ ଥିଲେ।

ଆଲୋଚନା ସମୟରେ ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରସାର, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ନିୟମିତ ଆୟୋଜନ ଏବଂ ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DIPRO)ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ସ୍ମାରକପତ୍ରରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଭାଷା, ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ଓ ପ୍ରଚାର-ପ୍ରସାର ପାଇଁ ଅନୁରୋଧ କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚୌହାନ ଉତ୍କଳ ସମ୍ମିଳନୀର ପ୍ରୟାସକୁ ପ୍ରଶଂସା କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ। ଶେଷରେ ଉଭୟ ପକ୍ଷ ଆଗାମୀ ଦିନରେ ଜିଲ୍ଲାରେ ଓଡ଼ିଆ ଅସ୍ମିତା, ଭାଷା ଓ ସଂସ୍କୃତିର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ନେଇ ମତପ୍ରକାଶ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.