ନୂଆଦିଲ୍ଲୀ:
ନୀଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ବିରୋଧରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେଉଥିବା ଯୁବ କର୍ମୀ ଅଭିଜିତ୍ ଦୀପକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ପରିସ୍ଥିତିକୁ ନେଇ ଅଭିଜିତଙ୍କ ପରିବାର ଭାରତର ରାଷ୍ଟ୍ରପତିଙ୍କ ନିକଟରେ ସୁରକ୍ଷା ପ୍ରଦାନ ପାଇଁ ଗୁହାରି କରିଛନ୍ତି।
ଅଭିଜିତଙ୍କ ଭଉଣୀ ସ୍ନେହା ଭଞ୍ଜାରେ ମହାରାଷ୍ଟ୍ରର ବୀଡ୍ ଜିଲ୍ଲା କଲେକ୍ଟରଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ସେଥିରେ ଅଭିଜିତ୍ ଦୀପକେ ଏବଂ ତାଙ୍କ ସହ ଆନ୍ଦୋଳନରେ ସାମିଲ ଥିବା ଅନ୍ୟ କର୍ମୀମାନଙ୍କୁ ତୁରନ୍ତ ମହାରାଷ୍ଟ୍ର ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି।
ପରିବାର ପକ୍ଷରୁ କୁହାଯାଇଛି ଯେ, ଲଗାତାର ଆନ୍ଦୋଳନ, ଅତ୍ୟଧିକ ଶାରୀରିକ ପରିଶ୍ରମ ଓ ମାନସିକ ଚାପ କାରଣରୁ ଅଭିଜିତ୍ ଟାଇଫଏଡରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ଅବନତି ସତ୍ତ୍ୱେ ସେ ଆନ୍ଦୋଳନ ସ୍ଥଳ ଛାଡ଼ି ନାହାନ୍ତି ଏବଂ ନିଜର ଦାବି ପୂରଣ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ସଂକଳ୍ପବଦ୍ଧ ଥିବା କୁହାଯାଇଛି।
ସ୍ନେହା ଭଞ୍ଜାରେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଦିଲ୍ଲୀରେ ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ପରେ ସେମାନଙ୍କର ଦିଲ୍ଲୀ ପୁଲିସ ଉପରେ ଆସ୍ଥା ରହିନାହିଁ। ଏହି କାରଣରୁ ଆନ୍ଦୋଳନକାରୀଙ୍କ ସୁରକ୍ଷା ପାଇଁ ଅନ୍ୟ ରାଜ୍ୟର ପୁଲିସ କିମ୍ବା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, 'କକ୍ରୋଚ୍ ଜନତା ପାର୍ଟି (ସିଜେପି)' ବ୍ୟାନର ତଳେ ଜୁନ୍ ୬ ତାରିଖରୁ ଦିଲ୍ଲୀର ଜନ୍ତର ମନ୍ତରରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ୩୪ ଦିନରୁ ଅଧିକ ସମୟ ଧରି ଜାରି ରହିଛି। ଆୟୋଜକମାନଙ୍କ ଦାବି ଅନୁଯାୟୀ, ଏହି ଆନ୍ଦୋଳନ ଏବେ ଦେଶର ୧୫୦ରୁ ଅଧିକ ସହରକୁ ବ୍ୟାପି ସାରିଛି ଏବଂ ବହୁ ଛାତ୍ରଛାତ୍ରୀ, ଯୁବକ ଓ ସାମାଜିକ ସଂଗଠନ ଏଥିରେ ସାମିଲ ହେଉଛନ୍ତି।ଆନ୍ଦୋଳନକାରୀମାନଙ୍କ ମୁଖ୍ୟ ଦାବି ହେଉଛି ନୀଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା। ଏହି ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ସମଗ୍ର ଦେଶର ନଜର ରହିଛି।

