Type Here to Get Search Results !

ରଥଯାତ୍ରାରେ ରଥ ସମ୍ମୁଖରେ ଅନଧିକୃତ ନୃତ୍ୟକୁ ବିରୋଧ, ୬ ଦଫା ଦାବିପତ୍ର ପ୍ରଦାନ

ପୁରୀ :

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମୟରେ ରଥ ସମ୍ମୁଖରେ ହେଉଥିବା ଅନଧିକୃତ ନୃତ୍ୟ ପ୍ରଦର୍ଶନ ଓ ଶ୍ରୀମନ୍ଦିର ପରମ୍ପରାର ସୁରକ୍ଷା ପ୍ରସଙ୍ଗକୁ ନେଇ ପୁରୀ ପରମ୍ପରା ସୁରକ୍ଷାମଞ୍ଚ, ଅଚ୍ୟୁତାନନ୍ଦ ଟ୍ରଷ୍ଟ ସମେତ ଦଶଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ଏକ ୬ ଦଫା ଦାବିପତ୍ର ପ୍ରଶାସନକୁ ପ୍ରଦାନ କରାଯାଇଛି। ମଞ୍ଚର ଆବାହିକା ରୋମା ଦାଶମହାପାତ୍ରଙ୍କ ନେତୃତ୍ୱରେ ଏକ ସାତଜଣିଆ ପ୍ରତିନିଧି ଦଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ଦେଇଥିଲେ। ଦାବିପତ୍ରରେ ଘୋଷଯାତ୍ରା ସମୟରେ ରଥ ସମ୍ମୁଖରେ ହେଉଥିବା ସମସ୍ତ ନୃତ୍ୟ ପ୍ରଦର୍ଶନ ପାଇଁ ସ୍ପଷ୍ଟ ଓ ସର୍ବଜନୀନ ନୀତି ଘୋଷଣା କରିବା, ନୃତ୍ୟ ପାଇଁ ଅନୁମତି ପ୍ରଦାନର ମାନଦଣ୍ଡ ସ୍ପଷ୍ଟ କରିବା ଏବଂ ଶ୍ରୀମନ୍ଦିରର ପରମ୍ପରା, ରୀତିନୀତି ଓ ବରିଷ୍ଠ ସେବାୟତଙ୍କ ମତାମତ ଆଧାରରେ ଯୋଗ୍ୟତା ନିର୍ଦ୍ଧାରଣ କରିବାକୁ ଦାବି କରାଯାଇଛି।

ସେହିପରି ସୁରକ୍ଷା ବଳୟ ଉଲ୍ଲଙ୍ଘନ, ଅନଧିକୃତ ପ୍ରବେଶ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ସ୍ୱତନ୍ତ୍ର ତଦନ୍ତ କରିବା ସହ ପଦର ଦୁରୁପଯୋଗ କରୁଥିବା ସେବାୟତ କିମ୍ବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ହୋଇଛି। ପ୍ରତିନିଧିମାନେ ଦେବଦାସୀ ବା ମାହାରୀ ନୃତ୍ୟକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ଏହା ମହାପ୍ରଭୁଙ୍କ ସହ ଜଡିତ ଏକ ପାରମ୍ପରିକ ଓ ଧାର୍ମିକ ନୃତ୍ୟ ହୋଇଥିବାରୁ ଏହାର ବାଣିଜ୍ୟିକ ବ୍ୟବହାର ଓ ଅନୁଚିତ ପ୍ରଦର୍ଶନ ଉପରେ ନିୟନ୍ତ୍ରଣ ଲାଗୁ କରିବାକୁ ସେମାନେ ଅନୁରୋଧ କରିଥିଲେ। ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ଲେଙ୍କା, ସମାଜସେବୀ ଲଲାଟେନ୍ଦୁ ମିଶ୍ର ଓ ନାରୀ ସଂଗଠନ ନେତ୍ରୀ ସୂର୍ଯ୍ୟକାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.