କେନ୍ଦୁଝର :
ମା ତାରିଣୀଙ୍କ ଦର୍ଶନ ପାଇଁ ହସଖୁସିରେ ଘରୁ ବାହାରିଥିବା ଚାରି ଯୁବକଙ୍କ ଯାତ୍ରା ମଝିରେ ଘଟିଗଲା ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ରସୋଳ ନିକଟରେ ଘଟିଛି । ଏକ କାର ବ୍ରିଜ ତଳକୁ ଖସି ପଡ଼ିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଟାଉନ ଥାନା ଅଞ୍ଚଳର ଚାରି ଜଣ ଯୁବକ ମା ତାରିଣୀଙ୍କ ଦର୍ଶନ ପାଇଁ କାର ଯୋଗେ କେନ୍ଦୁଝର ଯାଉଥିଲେ । କିନ୍ତୁ ଦୈତାରି ନିକଟରେ ହଠାତ୍ କାରର ଚକା ବାହାରି ଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିବା ବେଳେ ଗୁରୁତର ସମରେଶ ସ୍ୱାଇଁ ଓ ଇଶ୍ୱର ପ୍ରସାଦ ବେଉରାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦେବବ୍ରତ ଦାସ ଓ ଶିବସୁରୂପ ରାଉତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏହି ଅଘଟଣା ପରେ ଢେଙ୍କାନାଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କେନ୍ଦୁଝରରୁ ଦୀପକ ରଞ୍ଜନ ମିଶ୍ରଙ୍କ ରିପୋର୍ଟ
