Type Here to Get Search Results !

ଝାରସୁଗୁଡାରେ ଅପରେସନ୍‌ ନେତ୍ରା ସଫଳ : ଦେଶୀ ପିସ୍ତଲ ସହ ଜଣେ ଗିରଫ



ଝାରସୁଗୁଡା :
ଝାରସୁଗୁଡା ପୋଲିସ ପକ୍ଷରୁ ଚାଲିଥିବା “ଅପରେସନ୍‌ ନେତ୍ରା” ଅନ୍ତର୍ଗତ ବଡ଼ ସଫଳତା ମିଳିଛି । ଗୁରୁବାର ଝାରସୁଗୁଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଜଣେ ଅପରାଧୀଙ୍କୁ ଦେଶୀ ପିସ୍ତଲ ଓ ଜୀବନ୍ତ ଗୁଳି ସହ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅର୍ଜୁନ ସାହୁ (୨୪) । ସେ ପୁରୁଣାବସ୍ତି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।

ପୋଲିସ ସୂଚନା ଅନୁଯାୟୀ, ଏସଆଇ ସ୍ୱାଧୀନ କୁମାର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପେଟ୍ରୋଲିଂ କରୁଥିବା ବେଳେ ଗୁପ୍ତ ସୂଚନା ପାଇଥିଲେ । କିଛି ଯୁବକ ଚାନ୍ଦା ଢାବା ନିକଟ ଏନଏଚ-୧୦ରେ ପିସ୍ତଲ ଧରି ଟ୍ରକ ଚାଳକଙ୍କୁ ଧମକ ଦେଇ ଜୋରଜବରଦସ୍ତି ଟଙ୍କା ଆଦାୟ କରୁଥିବା ସୂଚନା ମିଳିଥିଲା ।

ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଚଢ଼ାଉ କରିଥିଲା । ଏହି ସମୟରେ ଅର୍ଜୁନ ସାହୁଙ୍କୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଦୁଇଟି ମୋବାଇଲ ଫୋନ ଓ ୩୦୨୦ ଟଙ୍କା ଜବତ କରାଯାଇଛି ।

ଘଟଣାକୁ ନେଇ ଝାରସୁଗୁଡା ଥାନାରେ ମାମଲା ନମ୍ବର ୩୩୦ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରହିଛି । ପୋଲିସ କହିଛି ଯେ, ଅଭିଯୁକ୍ତ ଆଉ ଅନେକ ଅପରାଧିକ ଘଟଣାରେ ଜଡିତ ଥିବା ସନ୍ଦେହ ରହିଛି ।

ବର୍ତ୍ତମାନ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.