Type Here to Get Search Results !

ଆପଣ ବି ‘ଡିଜିଟାଲ୍ ଆଞ୍ଜାଇଟି’ର ଶିକାର କି? ମନସିକ ଚାପର ଏକ ନୂଆ ରୂପ

 


ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଫୋନ୍ ମଣିଷର ଜୀବନର ଅବିଭାଜ୍ୟ ଅଂଶ ହୋଇପଡ଼ିଛି । ସକାଳୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ୍ ବିନା ଜୀବନକୁ କଳ୍ପନା କରିବା କଷ୍ଟକର । କିନ୍ତୁ ଏହି ସୁବିଧା ଧୀରେଧୀରେ ଲୋକଙ୍କ ମନସିକ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହେବାକୁ ଲାଗିଛି । ବିଶେଷକରି ଫୋନ୍‌ର ବ୍ୟାଟେରୀ କମିଯାଇଲେ ଅନେକ ଲୋକ ଅସ୍ଥିରତା, ଚିନ୍ତା ଓ ଭୟରେ ପଡ଼ୁଥିବା ଦେଖାଯାଉଛି । ଏହାକୁ ନେଇ ବର୍ତ୍ତମାନ “ଡିଜିଟାଲ୍ ଆଞ୍ଜାଇଟି” ବା “ଲୋ ବ୍ୟାଟେରୀ ସିଣ୍ଡ୍ରୋମ୍” ନାମରେ ଚର୍ଚ୍ଚା ବଢ଼ୁଛି ।

ଆପଣ କେବେ ଧ୍ୟାନ ଦେଇଛନ୍ତି କି ? ଫୋନ୍‌ର ବ୍ୟାଟେରୀ ୫୦ ପ୍ରତିଶତରୁ କମିଲେ ଆପଣ ବାରମ୍ବାର ଚାର୍ଜର ଖୋଜୁଛନ୍ତି । ୨୦ ପ୍ରତିଶତ ହେଲେ ହୃଦୟରେ ଏକ ଅଜଣା ଚିନ୍ତା ଆରମ୍ଭ ହେଉଛି । ଆଉ ୧୦ ପ୍ରତିଶତକୁ ଆସିଲେ ଫୋନ୍ ବନ୍ଦ ହୋଇଯିବା ଭୟରେ ଅନେକେ ଅସ୍ୱସ୍ଥ ହୋଇଯାନ୍ତି । ମନେହୁଏ ଯେପରି ଦୁନିଆ ସହ ସମ୍ପର୍କ କଟିଯିବ । ଏହି ଅନୁଭୂତି ଏବେ ଏକ ସାଧାରଣ ଅଭ୍ୟାସ ନୁହେଁ, ବରଂ ମନସିକ ଚାପର ଏକ ନୂଆ ରୂପ ବୋଲି ମନୋବିଜ୍ଞାନୀମାନେ କହୁଛନ୍ତି ।

ବିଶେଷଜ୍ଞଙ୍କ ମତାନୁସାରେ, ଲୋକମାନେ ଏବେ ମୋବାଇଲ୍ ଫୋନ୍ ଉପରେ ଏତେ ନିର୍ଭରଶୀଳ ହୋଇପଡ଼ିଛନ୍ତି ଯେ, ଫୋନ୍ ବନ୍ଦ ହୋଇଯିବା କିମ୍ବା ନେଟୱର୍କ ନ ଥିବା ପରିସ୍ଥିତି ତାଙ୍କୁ ଭୟଭୀତ କରୁଛି । ସୋସିଆଲ୍ ମିଡିଆ, ଅନଲାଇନ୍ କାମ, ଡିଜିଟାଲ୍ ପେମେଣ୍ଟ, ଅନଲାଇନ୍ ମିଟିଂ, ଗେମ୍ ଓ ଚାଟିଂ ଭଳି କାରଣରୁ ମୋବାଇଲ୍ ଏବେ ମାନବ ଜୀବନର ମୁଖ୍ୟ କେନ୍ଦ୍ର ହୋଇଯାଇଛି । ଫଳରେ ବ୍ୟାଟେରୀ କମିବା ସହିତ ଲୋକଙ୍କ ମନରେ ଅସୁରକ୍ଷା ବୋଧ ସୃଷ୍ଟି ହେଉଛି ।

ବିଶେଷକରି ଯୁବପିଢ଼ି ଓ କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଅନେକ ଯୁବକ-ଯୁବତୀ ଦିନକୁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରୁଛନ୍ତି । ସେମାନେ ସୋସିଆଲ୍ ମିଡିଆର ନୋଟିଫିକେସନ୍, ମେସେଜ୍ ଓ ରିଲ୍ସରେ ଏତେ ମଗ୍ନ ହୋଇଯାନ୍ତି ଯେ ଫୋନ୍‌ରୁ ଦୂରେ ରହିବା ତାଙ୍କ ପାଇଁ କଷ୍ଟକର ହେଉଛି । ଏହି ଅଭ୍ୟାସ ଧୀରେଧୀରେ ଆସକ୍ତିର ରୂପ ନେଉଛି ।

ମନୋରୋଗ ବିଶେଷଜ୍ଞମାନେ କହୁଛନ୍ତି, ଯଦି କୌଣସି ବ୍ୟକ୍ତି ଫୋନ୍ ନଥିଲେ ଅସ୍ୱସ୍ଥ ଅନୁଭବ କରନ୍ତି, ବାରମ୍ବାର ବ୍ୟାଟେରୀ ଚେକ୍ କରନ୍ତି କିମ୍ବା ପାଖରେ ଚାର୍ଜର ନଥିଲେ ଭୟଭୀତ ହୁଅନ୍ତି, ତେବେ ଏହା ଡିଜିଟାଲ୍ ଆଞ୍ଜାଇଟିର ଲକ୍ଷଣ ହୋଇପାରେ । ଏହାର ପ୍ରଭାବ ଘୁମ, ମନୋଯୋଗ ଓ ଦୈନିକ ଜୀବନ ଉପରେ ପଡ଼ୁଛି । ଅନେକ ଲୋକ ରାତିରେ ମଧ୍ୟ ଫୋନ୍ ପାଖରେ ରଖି ଶୋଇଥାନ୍ତି ଓ ମଧ୍ୟରାତ୍ରରେ ଉଠି ବ୍ୟାଟେରୀ ଚେକ୍ କରୁଥାନ୍ତି । ଏହି ସମସ୍ୟାର ଆଉ ଗୋଟିଏ ଚିନ୍ତାଜନକ ଦିଗ ହେଉଛି “ନୋମୋଫୋବିଆ” । ଅର୍ଥାତ୍ ମୋବାଇଲ୍ ନଥିବାର ଭୟ । ବର୍ତ୍ତମାନ ଏହାକୁ ଏକ ଆଧୁନିକ ମନସିକ ସମସ୍ୟା ଭାବେ ଦେଖାଯାଉଛି । ଯେଉଁମାନେ ଦୀର୍ଘ ସମୟ ଫୋନ୍‌ରୁ ଦୂରେ ରହିପାରୁନାହାନ୍ତି, ସେମାନଙ୍କ ମଧ୍ୟରେ ଏହି ସମସ୍ୟା ବେଶି ଦେଖାଯାଉଛି ।

ଚିକିତ୍ସକମାନଙ୍କ ମତାନୁସାରେ, ଏହି ଅଭ୍ୟାସକୁ ଅନଦେଖା କରିଲେ ଭବିଷ୍ୟତରେ ଗୁରୁତର ମନସିକ ଚାପ, ଅବସାଦ ଓ ସାମାଜିକ ଦୂରତା ସୃଷ୍ଟି ହୋଇପାରେ । ଲୋକମାନେ ବାସ୍ତବ ଜୀବନ ଠାରୁ ଅଧିକ ଭରସା ଭର୍ଚୁଆଲ୍ ଦୁନିଆ ଉପରେ କରୁଛନ୍ତି । ଫଳରେ ପରିବାର ସହ ସମୟ କମିଯାଉଛି ଓ ସାମାଜିକ ସମ୍ପର୍କ ମଧ୍ୟ ପ୍ରଭାବିତ ହେଉଛି ।

ତେବେ ଏହାର ସମାଧାନ କ’ଣ ? ବିଶେଷଜ୍ଞମାନେ କହୁଛନ୍ତି, ମୋବାଇଲ୍ ବ୍ୟବହାରକୁ ସୀମିତ କରିବା ଆବଶ୍ୟକ । ଦିନର କିଛି ସମୟ “ଡିଜିଟାଲ୍ ଡିଟକ୍ସ” ପାଇଁ ରଖିବା ଉଚିତ । ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର କମାଇବା, ଅନାବଶ୍ୟକ ନୋଟିଫିକେସନ୍ ବନ୍ଦ କରିବା ଓ ପରିବାର ସହ ସମୟ କାଟିବା ଏହି ସମସ୍ୟାରୁ ଦୂରେ ରଖିପାରିବ । ସେହିପରି ଖେଳକୁଦ, ପଢ଼ା ଓ ସୃଜନଶୀଳ କାର୍ଯ୍ୟରେ ମନ ଦେଲେ ମୋବାଇଲ୍ ଉପରୁ ନିର୍ଭରତା କମିପାରେ ।

ସୁବିଧା ପାଇଁ ତିଆରି ହୋଇଥିବା ଟେକ୍ନୋଲୋଜି ଯଦି ମଣିଷକୁ ମନସିକ ଚାପ ଦେଉଛି, ତେବେ ସତର୍କ ହେବାର ସମୟ ଆସିଗଲା ବୋଲି ମତ ପ୍ରକାଶ ପାଉଛି । ତେଣୁ ଫୋନ୍ ବ୍ୟବହାର କରନ୍ତୁ, କିନ୍ତୁ ଫୋନ୍‌ର ଦାସ ହେବେନି — ନହେଲେ ଏହି “ଡିଜିଟାଲ୍ ରୋଗ” ଆପଣଙ୍କ ମନସିକ ସ୍ୱାସ୍ଥ୍ୟକୁ ଧୀରେଧୀରେ କ୍ଷତିଗ୍ରସ୍ତ କରିପାରେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.