ନୂଆଦିଲ୍ଲୀ :
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ଆରଟିଆଇ ଆବେଦନର ଉତ୍ତରରେ ଆଶ୍ଚର୍ଯ୍ୟକର ସୂଚନା ପ୍ରକାଶ ପାଇଛି। ଆରଟିଆଇ ଆଇନ ୨୦୦୫ ଅନୁଯାୟୀ ଦାଖଲ ହୋଇଥିବା ଆବେଦନରେ ଆରଏସଏସର ୧୦୦ ବର୍ଷ ପୂର୍ତି ଅବସରରେ ପ୍ରିଣ୍ଟ ମିଡିଆରେ କେତେ ଟଙ୍କା ବିଜ୍ଞାପନ ପାଇଁ ବ୍ୟୟ ହୋଇଛି ତାହା ସମ୍ପର୍କରେ ପଚାରାଯାଇଥିଲା।
ମନ୍ତ୍ରଣାଳୟର ଉତ୍ତର ଅନୁସାରେ, ଏହି ଅବସରରେ ବିଭିନ୍ନ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ପାଇଁ ମୋଟ ୭୬,୧୩,୧୨୯ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସୂଚନା ଆବେଦକଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇଛି। ଏହା ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଜନତାଙ୍କ ଟ୍ୟାକ୍ସ ରେ ଏକ ସମାଜସେବୀ ସଂସ୍ଥା ପାଇଁ ଖର୍ଚ୍ଚ କରି ସରକାର ଜନତାଙ୍କୁ କଣ ଲାଭ ଦେଲେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।
ଆରଟିଆଇ ଉତ୍ତରରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଆବେଦକ ଦିଆଯାଇଥିବା ସୂଚନାରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେ ଉଚ୍ଚତର କର୍ତ୍ତୃପକ୍ଷଙ୍କ ପାଖରେ ଅପିଲ କରିପାରିବେ।
ଏହି ଖବର ପ୍ରକାଶ ପରେ ସରକାରୀ ବ୍ୟୟ ଓ ପ୍ରଚାର ନୀତିକୁ ନେଇ ପ୍ରଶ୍ନ ଉଠିଛି। ଏହା ସହିତ ଆଗାମୀ ଦିନରେ ଏହି ବିଷୟ ରାଜନୈତିକ ଭାବେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।


