ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ୯୧ତମ ଓଡ଼ିଶା ଦିବସ ପାଳିତ
ଝାରସୁଗୁଡ଼ା :
ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଏମ.ସି.ଏଲ୍ ଅଡିଟୋରିୟମ୍ ଠାରେ ୯୧ତମ ଓଡ଼ିଶା ଦିବସ ତଥା ରାଜ୍ୟ ପ୍ରତିଷ୍ଠା ଦିବସ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି.ଆର୍ ରାଘବେନ୍ଦ୍ର ଯୋଗଦେଇଥିଲେ। ଏଥିସହ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ଏବଂ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି ଗରିମାମୟ ଉତ୍ସବରେ ଜିଲ୍ଲାର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଓଡ଼ିଆ ଜାତିର ବୀରତ୍ୱ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନର ସଂଗ୍ରାମକୁ ମନେ ପକାଇଥିଲେ। ସେ କହିଥିଲେ, "ଭାଷା ଆମର ଅସ୍ମିତା, ସଂସ୍କୃତି ଆମର ଗର୍ବ ଏବଂ ପ୍ରଗତି ଆମର ଲକ୍ଷ୍ୟ। ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ହିଁ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ମୂଳଦୁଆ। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ଏବେଠାରୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ।" ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜି.ଆର୍ ରାଘବେନ୍ଦ୍ର ସୁରକ୍ଷିତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରି କହିଥିଲେ, "ଓଡ଼ିଶା ଦିବସ ଉତ୍ସବ ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ପାଇଁ ଏକ ସାମୂହିକ ଶପଥ। ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ଆରକ୍ଷୀ ବାହିନୀ ଏକ ସ୍ୱଚ୍ଛ ଓ ଲୋକାଭିମୁଖୀ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।" ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ହେଉଛି ଅନେକ ସଂଗ୍ରାମ ଓ ତ୍ୟାଗର କାହାଣୀ। ଆଜିର ଦିନରେ ଆମେ ସେହି ମହାପୁରୁଷମାନଙ୍କୁ ସ୍ମରଣ କରିବା ସହ ଜିଲ୍ଲାର ସାମୂହିକ ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିବା ଆବଶ୍ୟକ। ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ଓ ନିଷ୍ଠାର ସହ କାର୍ଯ୍ୟ କରିବା ହିଁ ଆମ ରାଜ୍ୟ ପ୍ରତି ପ୍ରକୃତ ସମ୍ମାନ ହେବ। ଏଥିସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମ ମାତୃଭାଷା ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ସୁରକ୍ଷା ତଥା ପ୍ରସାର ପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ। ଜିଲ୍ଲାର ରାଜସ୍ୱ ପ୍ରଶାସନକୁ ଅଧିକ ଜନ-ଅଭିମୁଖୀ ଓ ସ୍ୱଚ୍ଛ କରିବା ସହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ହିଁ ଆମ ପାଇଁ ଓଡ଼ିଶା ଦିବସର ପ୍ରକୃତ ସଂକଳ୍ପ।"

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ବରପୁତ୍ରମାନଙ୍କ ଅବଦାନକୁ ନେଇ ଏକ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଅନ୍ୟତମ ମୁଖ୍ୟ ଆକର୍ଷଣ ଭାବେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ପ୍ରସ୍ତୁତ "ପିଠା ପରବ" ଆୟୋଜିତ ହୋଇଥିଲା। ଏଥିରେ ମାଣ୍ଡିଆ ଓ ବିଭିନ୍ନ ପୃଷ୍ଟିକର ଖାଦ୍ୟ ସହ ଓଡ଼ିଶାର ପାରମ୍ପରିକ ସୁଆଦିଆ ବ୍ୟଞ୍ଜନ ପ୍ରଦର୍ଶିତ ହୋଇଥିଲା। ଅତିଥିମାନେ ଏହି ଓଡ଼ିଆ ସ୍ୱାଦର ଭରପୂର ଆନନ୍ଦ ନେବା ସହ ଏହାର ପ୍ରଶଂସା କରିଥିଲେ। ଏହି ଅବସରରେ ଆଜି ପ୍ରାତଃ ସମୟରେ ଜିଲ୍ଲା ପ୍ରଶାସନ ଏବଂ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏ, ସ୍ଵଭାବ କବି ଗଙ୍ଗାଧର ମେହେର, ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସଫଳତାର ସହ ପରିଚାଳନା କରିଥିଲେ।