ଏଡିଟରିଆଲ ଡେସ୍କ
(ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା, ମୁଖ୍ୟ ସମ୍ପାଦକ)
ଦେଶ ଆଜି ଆଚମ୍ବିତ ହେବାର ସୀମାକୁ ଦୂରେ ଛାଡ଼ିଦେଇଛି। ଏଠି ଅନ୍ୟାୟ ଏତେ ସାଧାରଣ ହୋଇଗଲାଣି ଯେ, ଏହାକୁ ଦେଖି ମଣିଷର ହୃଦୟ ମଧ୍ୟ ଅବାକ ହେବାକୁ ଭୁଲିଯାଇଛି। ଏହି ମାଟିରେ ଆଜି ମଧ୍ୟ ଜଣେ ମଣିଷ କାନ୍ଧ ଉପରେ ଶବ ବୋହି ରାସ୍ତା ଚାଲିଥାଏ, କାରଣ ସେ ଗରିବ, ସେ ଅସହାୟ। ଏହି ମାଟିରେ ମୃତ ଦେହକୁ କବର ଖୋଳି ପୁଣି କଢ଼ାଯାଏ , ପ୍ରମାଣ ଖୋଜିବାର ନାମରେ ମଣିଷତ୍ୱକୁ ଅପମାନ କରାଯାଏ।
କିନ୍ତୁ ଏହି ଦେଶରେ ଯେତେବେଳେ କୌଣସି ପ୍ରଭାବଶାଳୀ ନେତାଙ୍କ କୁକୁର କିମ୍ବା ମଇଁଷି ହଜିଯାଏ , ସମଗ୍ର ପୋଲିସ ବ୍ୟବସ୍ଥା ଚାଲିଯାଏ ଖୋଜିବାକୁ। ପ୍ରଶ୍ନ ହେଉଛି – ଏହି ନ୍ୟାୟର ତୁଳା କାହା ପାଇଁ ? ସାଧାରଣ ଲୋକଙ୍କ ପାଇଁ କାହିଁକି ନାହିଁ ଏମିତି ସମ୍ବେଦନଶୀଳତା?
ଆଉ ଏକ ଦିଗରେ, ବ୍ୟାଙ୍କ ରୁ କୋଟି କୋଟି ଟଙ୍କା ଲୁଟି ଉଦ୍ୟୋଗପତିମାନେ ବିଦେଶରେ ସୁଖରେ ଜୀବନ ଯାପନ କରୁଛନ୍ତି। ଏହା କେବଳ ଅର୍ଥନୈତିକ ଅପରାଧ ନୁହେଁ, ଏହା ଜନତାର ଆସ୍ଥା ଉପରେ ହମଲା। ଯେ ଟଙ୍କା ଗରିବ ଲୋକଙ୍କ ଝାଳ ରୁ ଆସିଥିଲା, ସେହି ଟଙ୍କା ଆଜି କିଛି ଲୋକଙ୍କ ଆଡ଼ମ୍ବରର ଆଧାର।
ଏହି ହେଉଛି ଆମ ଗଣତନ୍ତ୍ରର କଠୋର ସତ୍ୟ – ଯିଏ ଭୋଟ ଦେଉଛି ସେ ଲାଇନରେ ଠିଆ ହୁଏ, ତାଙ୍କ ଅଧିକାର ପାଇଁ ଲଢ଼େ, କିନ୍ତୁ ଯିଏ ଭୋଟ ମାଗୁଛି ସେ ଶକ୍ତିର ସିଂହାସନରେ ବସି ରାଜା ହୋଇଯାଏ। ଜନତା ପାଇଁ ନିୟମ ରହିଛି ହଜାରେ, କିନ୍ତୁ ଶକ୍ତିଶାଳୀଙ୍କ ପାଇଁ ନିୟମ ମାତ୍ର ଏକ କାଗଜର ଟୁକୁଡ଼ା।
ଜନତା ଯେଉଁଠି ଘଣ୍ଟା ଘଣ୍ଟା ଲାଇନରେ ଠିଆ ହୋଇ ନିଜର ଅଧିକାର ପାଇଁ ଅପେକ୍ଷା କରେ, ସେଠି ନେତାଙ୍କ ପରିବାର ପାଉଛନ୍ତି ଭିଆଇପି ସ୍ୱାଗତ, ସୁବିଧା ଓ ସୁରକ୍ଷା। ଏହା କେବଳ ଅସମାନତା ନୁହେଁ, ଏହା ଗଣତନ୍ତ୍ରର ଆତ୍ମାକୁ ଆଘାତ।
ଏହି ପରିସ୍ଥିତିରେ ପ୍ରଶ୍ନ ଉଠିବା ଆବଶ୍ୟକ – ଆମେ କେବଳ ଭୋଟର୍ ହେବାକୁ ଜନ୍ମ ନେଇଛୁ କି? କଣ ଆମେ ସଚେତନ ନାଗରିକ ହୋଇ ପାରିବୁ?
ସମୟ ଆସିଗଲା ନିର୍ବାକ ରହିବା ଛାଡ଼ିବାର। ନ୍ୟାୟ, ସମାନତା ଓ ମଣିଷତ୍ୱ ପାଇଁ ଶବ୍ଦ ଉଠାଇବାର। ନହେଲେ ଏହି ନିର୍ବାକତା ଆସନ୍ତାକାଲିର ସବୁଠାରୁ ବଡ଼ ଅପରାଧ ହେବ।

