ଝାରସୁଗୁଡା :
ସୋସିଆଲ୍ ମିଡିଆର ଦୁର୍ବ୍ୟବହାର କରି ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରି ମାନହାନି କରିବା ଅଭିଯୋଗରେ ଝାରସୁଗୁଡା ସାଇବର କ୍ରାଇମ ଓ ଇକନୋମିକ ଅଫେନ୍ସ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅରାଡ଼ି ଛକ , କ୍ୟାନାଲ୍ ରୋଡ଼ର ମହାମାୟା ବିଶ୍ୱାଳ (୩୮) ନାମକ ମହିଳାଙ୍କୁ ଗିରଫ କରାଯାଇଛି। ଏନେଇ ସାଇବର କ୍ରାଇମ ଓ ଇକନୋମିକ ଅଫେନ୍ସ ପୋଲିସ ଥାନାରେ କେସ ନଂ ୦୨/୨୦୨୬ ରୁଜୁ ହୋଇଛି। ଏହି ମାମଲାଟି BNS ଧାରା ୭୯ ଓ ୩୧୯(୨) ସହ ଆଇଟି ଆକ୍ଟ ଧାରା ୬୭ ଅନୁଯାୟୀ ରଜିଷ୍ଟର କରାଯାଇଛି।
ବେଲପାହାଡ଼ ଗୁମାଡେରା ଅଞ୍ଚଳର ଦେବେନ୍ଦ୍ର କୁମାର ନାୟକ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ନାମ ଓ ପ୍ରୋଫାଇଲ ଫଟୋ ବ୍ୟବହାର କରି ଅଜଣା ବ୍ୟକ୍ତି ଏକ ନକଲି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରିଥିଲେ। ସେହି ଆକାଉଣ୍ଟ ମାଧ୍ୟମରେ ଭ୍ରାମକ ଓ ଅପମାନଜନକ ପୋଷ୍ଟ କରି ତାଙ୍କ ପରିଚିତ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ମାନହାନି କରିବାର ଚେଷ୍ଟା କରାଯାଉଥିଲା।
ତଦନ୍ତ କାଳରେ ଝାରସୁଗୁଡା ସାଇବର ପୋଲିସ ପ୍ରଯୁକ୍ତିଗତ ବିଶ୍ଳେଷଣ କରି ନକଲି ଆକାଉଣ୍ଟର ଉତ୍ସ ଚିହ୍ନଟ କରିଥିଲେ। ଡିଜିଟାଲ ପ୍ରମାଣ ଆଧାରରେ ମହାମାୟା ବିଶ୍ୱାଳଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟକୁ ପ୍ରେରଣ କରାଯାଇଛି।
ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସୋସିଆଲ୍ ମିଡିଆର ଦୁର୍ବ୍ୟବହାର ଓ ସାଇବର ଅପରାଧ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଝାରସୁଗୁଡା ପୋଲିସ ପୁଣିଥରେ ସଚେତନ କରିଛି।

