ଭୁବନେଶ୍ୱର :
ଭୁବନେଶ୍ୱର ସହରରେ ଛତୁ ଫୁଟିବା ଭଳି ବଢୁଥିବା ଓୟୋ ହୋଟେଲଗୁଡିକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସହରର ବିଭିନ୍ନ ଅଞ୍ଚଳରେ ଥିବା କିଛି ହୋଟେଲରେ ଅବୈଧ କାର୍ଯ୍ୟକଳାପ, ବିଶେଷ କରି ସେକ୍ସ ରାକେଟ ଚାଲିଥିବା ସନ୍ଦେହରେ କମିଶନରେଟ ପୋଲିସ ତାଙ୍କର ନଜର କଢ଼ା କରିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ସୂତ୍ର ଅନୁଯାୟୀ, ଅନେକ ହୋଟେଲ ମାଲିକ ଓ ଦଲାଲ ମିଶି ହୋଟେଲ ଆଡରେ ଅନୈତିକ କାର୍ଯ୍ୟ ଚଳାଇଥିବା ଅଭିଯୋଗ ଆସିଛି। ସହରର କିଛି ପ୍ରମୁଖ ଅଞ୍ଚଳରେ ଏହିପରି କାର୍ଯ୍ୟକଳାପ ଗୁପ୍ତଭାବେ ଚାଲୁଥିବାରୁ ପୋଲିସ ଏବେ ଆକ୍ସନ ମୋଡରେ ରହିଛି।
ଏହି ଘଟଣାକୁ ନେଇ ବିଧାନସଭାର ପ୍ରଶ୍ନକାଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ କରିଥିଲେ ଯେ, ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ସେ କହିଥିଲେ ଯେ କମିଶନରେଟ ପୋଲିସ ଦ୍ୱାରା ନିୟମିତ ପେଟ୍ରୋଲିଂ, ଚଢ଼ାଉ ଓ ତଦନ୍ତ କାର୍ଯ୍ୟ ଜାରି ରହିଛି। ଅବୈଧ କାର୍ଯ୍ୟରେ ଜଡିତ ଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ସନ୍ଦେହଜନକ ହୋଟେଲଗୁଡିକୁ ଚିହ୍ନଟ କରାଯାଇ ତା’ଉପରେ ଅଚାନକ ଚଢ଼ାଉ କରାଯାଉଛି। ସେହିସହିତ, ହୋଟେଲରେ ରୁହୁଥିବା ଅତିଥିମାନଙ୍କର ପରିଚୟ ପତ୍ର ଯାଞ୍ଚକୁ କଡା କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି।
ପୋଲିସ ଲୋକମାନଙ୍କୁ ଅନୁରୋଧ କରିଛି ଯେ, ହୋଟେଲ ବୁକିଂ ସମୟରେ ସତର୍କ ରୁହନ୍ତୁ, ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।
ଭୁବନେଶ୍ୱରରେ ବଢୁଥିବା ଓୟୋ ହୋଟେଲ ନେଇ ଏହି ନୂତନ ତଥ୍ୟ ସହରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଆଗାମୀ ଦିନରେ ପୋଲିସର କଡା କାର୍ଯ୍ୟପ୍ରଣାଳୀ କେତେ ପର୍ଯ୍ୟନ୍ତ ଏହି ଅବୈଧ କାର୍ଯ୍ୟକଳାପକୁ ରୋକିପାରିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

