ଧର୍ମ ପରିବର୍ତ୍ତନ ଓ ଅନୁସୂଚିତ ଜାତି (SC) ମାନ୍ୟତା ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ହିନ୍ଦୁ, ବୌଦ୍ଧ ଓ ଶିଖ ଧର୍ମାବଲମ୍ବୀମାନେ ମାତ୍ର SC ମାନ୍ୟତା ପାଇବେ। ଯଦି କୌଣସି ବ୍ୟକ୍ତି ଅନ୍ୟ ଧର୍ମକୁ ଧର୍ମାନ୍ତର କରନ୍ତି, ସେମାନେ SC ଶ୍ରେଣୀର ଆଇନଗତ ସୁବିଧାରୁ ବଞ୍ଚିତ ହେବେ।
ଏହି ରାୟରେ କୋର୍ଟ କହିଛନ୍ତି ଯେ SC ମାନ୍ୟତା ଦେବାର ମୂଳ ଆଧାର ହେଉଛି ସମାଜିକ ଓ ଐତିହାସିକ ଅସମାନତା, ଯାହା ପ୍ରାୟତଃ ହିନ୍ଦୁ ସମାଜରେ ଦେଖାଯାଇଥାଏ। ପରେ ଏହାକୁ ବୌଦ୍ଧ ଓ ଶିଖ ଧର୍ମକୁ ମଧ୍ୟ ବ୍ୟାପ୍ତ କରାଯାଇଥିଲା।
୧୯୫୦ ମସିହାରେ ଜାରି ହୋଇଥିବା ରାଷ୍ଟ୍ରପତି ଆଦେଶ ଅନୁଯାୟୀ SC ତାଲିକା ନିର୍ଦ୍ଧାରଣ କରାଯାଇଥିଲା ଓ ସେଥିରେ ଧର୍ମ ଭିତ୍ତିକ ନିୟମ ଲାଗୁ ହୋଇଥିଲା। ଏହି ଆଦେଶକୁ ଆଧାର କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।
ଏହାର ପ୍ରଭାବ ଶିକ୍ଷା, ଚାକିରି ଓ ସରକାରୀ ରିଜର୍ଭେସନ୍ ବ୍ୟବସ୍ଥା ଉପରେ ପଡ଼ିବ। ଧର୍ମ ପରିବର୍ତ୍ତନ ପରେ ସମାଜିକ ସ୍ଥିତି ଓ ଅସମାନତା କେତେ ଦୂର ପର୍ଯ୍ୟନ୍ତ ରହିଥାଏ, ଏହା ନେଇ ଆଗାମୀ ଦିନରେ ବ୍ୟାପକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।
ସମାଜିକ ନ୍ୟାୟ ଓ ସଂବିଧାନିକ ଅଧିକାର ମଧ୍ୟରେ ସମନ୍ୱୟ ରଖିବା ପାଇଁ ଏହି ରାୟକୁ ଗୁରୁତ୍ୱପୂର୍ଣ୍ଣ ମାନାଯାଉଛି।

