ବ୍ରଜରାଜନଗର :
ବ୍ରଜରାଜନଗର ସହରରେ ପ୍ରସ୍ତାବିତ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ଆକାର ନେଉଛି। ସଂଗ୍ରକ୍ଷିତ ଜଙ୍ଗଲ ଅଞ୍ଚଳରୁ ପ୍ରାୟ ୪୬୯ଟି ଗଛ କଟାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି। ଏହା ସହିତ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ବିରୋଧରେ ଥାନାରେ ଏଫଆଇଆର୍ ଦାଖଲ ହୋଇଛି।
ସାମାଜିକ କର୍ମୀ ସୁପ୍ରିତ ବେହେରା ଓ ମହେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ, ଖଲିଆକାନୀ ଓ ବ୍ରଜରାଜନଗର କଲେଜ ମଧ୍ୟରେ ଥିବା ସଂଗ୍ରକ୍ଷିତ ଅଞ୍ଚଳରେ ବେଆଇନ ଭାବେ ଗଛ କଟାଯାଇଛି। ଏହା ଦ୍ୱାରା ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ିଥିବା ସହ ଜୀବବୈବିଧ୍ୟକୁ ମଧ୍ୟ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ନାଗରିକମାନଙ୍କ କହିବା ଅନୁସାରେ, ପ୍ରାୟ ୧୪ ବର୍ଷ ପୂର୍ବରୁ ମଙ୍ଗଳା ମନ୍ଦିର ନିକଟରେ ବସ୍ ଷ୍ଟାଣ୍ଡ ପାଇଁ ଏକ ସ୍ଥାନ ଚିହ୍ନଟ କରାଯାଇଥିଲା। ସେଥିପାଇଁ ୭୦ରୁ ୮୦ଟି ପରିବାରକୁ ଉଚ୍ଛେଦ କରାଯାଇଥିବା ସହ ପାଚେରୀ ନିର୍ମାଣରେ ୬୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହୋଇଥିଲା। ତଥାପି, ସେହି ପ୍ରକଳ୍ପକୁ ଅଧୂରା ରଖି ନୂତନ ସ୍ଥାନରେ ପୁନର୍ବାର କାମ ଆରମ୍ଭ କରାଯାଇବାକୁ ସରକାରୀ ଧନର ଅପବ୍ୟୟ ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି।
ସୁପ୍ରିତ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୌର ପରିଷଦର ଏପରି ଜନବିରୋଧୀ ନୀତି ଫଳରେ ବ୍ରଜରାଜନଗରର ଉନ୍ନତି ପ୍ରକ୍ରିୟା ଦଶବର୍ଷ ପଛକୁ ଚାଲିଯାଇଛି। ସେ ଏହି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହାସହ ଗ୍ରେଡ-୧ ଅଧିକାରୀମାନେ ୩ ବର୍ଷରୁ ଅଧିକ ସମୟ ଏକେ ସ୍ଥାନରେ ରହିବା ନିୟମ ନଥିବା ସତ୍ତ୍ୱେ, କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ କିପରି ୪ ବର୍ଷରୁ ଅଧିକ ସମୟ ଧରି ପଦରେ ଅବସ୍ଥାନ କରୁଛନ୍ତି, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମସ୍ତ ଘଟଣା ବ୍ରଜରାଜନଗରର ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସରକାରୀ ଧନର ସଠିକ୍ ବ୍ୟବହାର ନିମନ୍ତେ ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତଙ୍କ ଦାବି ଜୋରଦାର ହେଉଛି।

