Type Here to Get Search Results !

ଜିଲ୍ଲାର ୧.୩୦ ଲକ୍ଷରୁ ଅଧିକ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା


ଝାରସୁଗୁଡ଼ା :

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ‘ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୬’ ଏବଂ ‘ସୁଭଦ୍ରା’ ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭାସୀ ମାଧ୍ୟମରେ ରାଜ୍ୟସ୍ତରରେ ୧ କୋଟିରୁ ଅଧିକ ମହିଳାଙ୍କୁ ୫,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ, ଝାରସୁଗୁଡ଼ା ଜିଲ୍ଲାର ୧,୩୦,୭୦୪ ଜଣ ହିତାଧିକାରୀ ମଧ୍ୟ ଏହି ସୁଭଦ୍ରା ସହାୟତା ପାଇ ଉପକୃତ ହୋଇଛନ୍ତି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଜିଲ୍ଲାରେ ଚାଲିଥିବା ‘ବାଲ୍ୟ ବିବାହ ମୁକ୍ତ ଅଭିଯାନ’ର ୧୦୦ ଦିନିଆ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ସମାଜରୁ ବାଲ୍ୟ ବିବାହ ପରି କୁସଂସ୍କାରକୁ ଦୂର କରି କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଅଭିଯାନ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ସମ୍ମିଳନୀରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ଓ ସମ୍ମାନଜନକ ଜୀବନ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇଥିବା ବେଳେ ମାନ୍ୟବର ରାଜସ୍ବ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ନଭଲ ଅଗ୍ରୱାଲ ଏବଂ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଲଳିତ ମଗର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିୟା ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିଆରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ା ଓ କଳା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅଙ୍ଗନୱାଡ଼ି କର୍ମୀ, ସ୍ଥାନୀୟ ମହିଳା ଏବଂ ସ୍କୁଲ୍ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ଭାଗରେ ମହିଳାମାନଙ୍କ ଦ୍ୱାରା ଅନୁଷ୍ଠିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିୟା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସଫଳତା ସମ୍ପର୍କରେ ଆଲୋକପାତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.