ଫୁଲବାଣୀ :
ଫୁଲବାଣୀ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦିନ ଦିପହର ସମୟରେ ଜଣେ ପୁଲିସ କନେଷ୍ଟବଳଙ୍କୁ ଦୁଇ ଯୁବକ ଆକ୍ରମଣ କରିଥିବା ଘଟଣା ଚଞ୍ଚଳ ସୃଷ୍ଟି କରିଛି। ସାଦା ପୋଷାକରେ ଥିବା କନେଷ୍ଟବଳଙ୍କ ସହ କୌଣସି କାରଣକୁ ନେଇ ଦୁଇ ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପରିସ୍ଥିତି ଉତ୍ତେଜିତ ହୋଇ ଯୁବକମାନେ ତାଙ୍କୁ ରାସ୍ତାରେ ଧକ୍କା ଦେଇ ତଳେ ପକାଇ ମାଡ଼ ମାରିଥିଲେ।
ଘଟଣାଟି ସାର୍ବଜନୀନ ସ୍ଥାନରେ ଘଟିଥିବା ବେଳେ ଉପସ୍ଥିତ ଲୋକମାନେ ଦେଖୁଥିବା ସତ୍ତ୍ୱେ କେହି ଉଦ୍ଧାର ପାଇଁ ଆଗକୁ ଆସିନଥିବା କଥା ଚର୍ଚ୍ଚାର ବିଷୟ ହୋଇଛି। ଆହତ କନେଷ୍ଟବଳଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ଏବଂ ସ୍ଥିତି ସ୍ଥିର ଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ଟାଉନ୍ ଥାନାରେ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। ସହରରେ ବଢ଼ୁଥିବା ଅପରାଧିକ କାର୍ଯ୍ୟକଳାପ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏହି ଘଟଣା ପୁନର୍ବାର ପ୍ରଶ୍ନ ଉଠାଇଛି।
ଏଠି ପ୍ରଶ୍ନ ଉଠୁଛି, ଯଦି ପୋଲିସ ନିଜେ ସୁରକ୍ଷିତ ନୁହଁ ତେବେ ଜନତା କେତେ ସୁରକ୍ଷିତ? ଅନ୍ୟ ପକ୍ଷରେ, ଆଜି ସମୟରେ ମାନବିକତା ମରିଯାଇଛି କି ବୋଲି ମଧ୍ୟ ଉଠୁଛି ପ୍ରଶ୍ନ।

