ଝାରସୁଗୁଡ଼ା:
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମୀକ୍ଷା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ହେବାକୁ ଥିବା ଆଗାମୀ ଆଭାସୀ ବୈଠକ ପୂର୍ବରୁ ଜିଲ୍ଲା ଯୋଜନା ଓ ସମୀକ୍ଷା ୟୁନିଟ୍ ପକ୍ଷରୁ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗକୁ ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ବିକାଶମୂଳକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସଂପୃକ୍ତ ବିଭାଗ ଗୁଡ଼ିକୁ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଅଭିଯାନ ଅଧୀନରେ ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ, ବିମାନବନ୍ଦର, କ୍ରୀଡ଼ା, ସଡ଼କ ଭିତ୍ତିଭୂମି, ଜଳସେଚନ, ହସ୍ତତନ୍ତ ଏବଂ ଫୁଡ୍ ପାର୍କ ଭଳି କ୍ଷେତ୍ରରୁ ୨୫ଟି ଶ୍ରେଷ୍ଠ ଉଚ୍ଚ-ପ୍ରାଥମିକତା ପ୍ରକଳ୍ପ ଚିହ୍ନଟ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲାପାଳ ଏହି ଅବସରରେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ କେବଳ ଭିତ୍ତିଭୂମିର ବିକାଶ କରିବ ନାହିଁ ବରଂ ଜିଲ୍ଲାରେ ନୂତନ ନିଯୁକ୍ତି ସୁଯୋଗ ଓ ରୋଜଗାର ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିବା ସହ ନିୟମିତ ଅନୁସରଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସ୍ୱାସ୍ଥ୍ୟସେବା, ମାତୃ ଓ ଶିଶୁ ମୃତ୍ୟୁ ହାର, ଟି.ଭି ଅଭିଯାନ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଏବଂ ଖାଲଖମା ମୁକ୍ତ ରାସ୍ତା ନିର୍ମାଣ ଉପରେ ସେ ସ୍ୱେଶ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

