ଭୁବନେଶ୍ୱର:
ଓଡ଼ିଶା ଚେମ୍ବର ଅଫ୍ କମର୍ସ ରାଜ୍ୟ ବଜେଟ୍କୁ ସାମଗ୍ରିକ ଭାବେ ସମୀକ୍ଷା କରି କହିଛି ଯେ ଏହି ବଜେଟ୍ ଆର୍ଥିକ ସ୍ଥିରତାକୁ ଅଟୁଟ ରଖି ଢାଞ୍ଚାଗତ ବିକାଶକୁ ପ୍ରାଥମିକତା ଦେଇଛି, ଯାହା ଓଡ଼ିଶାର ଦୀର୍ଘମ୍ୟାଦୀ ଆର୍ଥିକ ବିକାଶ ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଚେମ୍ବର ମତ ପ୍ରକାଶ କରିଛି।
ଚେମ୍ବର କହିଛି ଯେ ବଜେଟ୍ରେ ସଡ଼କ, ବନ୍ଦର, ସିଚାଇ, ସହରୀୟ ଢାଞ୍ଚା ଓ ଶିଳ୍ପ ସଂଯୋଗ ଉପରେ ନିରନ୍ତର ନିବେଶ ଓଡ଼ିଶାକୁ ଶିଳ୍ପ ଓ ନିବେଶ ମାନଚିତ୍ରରେ ଅଧିକ ସୁଦୃଢ଼ ସ୍ଥାନ ଦେଇପାରିବ। ଆର୍ଥିକ ସଂୟମ ରଖି ମୁଲଧନ ବ୍ୟୟକୁ ଜାରି ରଖାଯାଇଥିବାରୁ ରାଜ୍ୟରେ ନିବେଶ ପରିବେଶ ଅଧିକ ସକାରାତ୍ମକ ହେବ ବୋଲି ଚେମ୍ବର ଆଶା ପ୍ରକାଶ କରିଛି।
ଏହା ସହ ଚେମ୍ବର କହିଛି ଯେ ବଜେଟ୍ରେ ଦକ୍ଷତା ବିକାଶ, ଶିକ୍ଷା ଓ ମାନବ ସମ୍ପଦ ଉନ୍ନତି ଉପରେ ଦିଆଯାଇଥିବା ଗୁରୁତ୍ୱ ଦୀର୍ଘକାଳରେ ଓଡ଼ିଶାର ଯୁବଶକ୍ତିକୁ ଶିଳ୍ପମୁଖୀ କରିବାରେ ସହାୟକ ହେବ।
ତଥାପି, ଚେମ୍ବର ମତାନୁସାରେ ଶିକ୍ଷିତ ଓ ପ୍ରାଯୁକ୍ତିକ ଯୁବମାନଙ୍କ ପାଇଁ ବୃହତ୍ ପରିମାଣର ସିଧାସଳଖ ରୋଜଗାର ସୃଷ୍ଟି ନିମନ୍ତେ ସ୍ପଷ୍ଟ ଓ ସମୟବଦ୍ଧ ଯୋଜନାର ଅଭାବ ଦେଖାଯାଉଛି। ସେହିପରି, ସହରୀୟ ଓ ବେତନଭୋଗୀ ମଧ୍ୟବର୍ଗ ଉପରେ ବଢ଼ୁଥିବା ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ପ୍ରୟାପ୍ତ ରାହାତ ମିଳିନଥିବା ଉପରେ ମଧ୍ୟ ଚେମ୍ବର ଚିନ୍ତା ପ୍ରକାଶ କରିଛି।
MSME କ୍ଷେତ୍ରରେ କିଛି ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସସ୍ତା ଋଣ, ପ୍ରଯୁକ୍ତି ଅଦ୍ୟତନ, ବଜାର ସଂଯୋଗ ଓ ନିୟମିତା ସହଜିକରଣ ପାଇଁ ଅଧିକ ଗଭୀର ସଂସ୍କାର ଆବଶ୍ୟକ ବୋଲି ଚେମ୍ବର କହିଛି। ଏହା ସହ ଅନ୍ତଃସ୍ଥଳୀୟ, ଆଦିବାସୀ ଓ ପଛପଡ଼ିଥିବା ଅଞ୍ଚଳଗୁଡ଼ିକ ପାଇଁ ଲକ୍ଷ୍ୟଭିତ୍ତିକ ଓ ପରିଣାମମୁଖୀ ବିନିଯୋଗର ଆବଶ୍ୟକତା ଉପରେ ଚେମ୍ବର ଜୋର୍ ଦେଇଛି।
ଚେମ୍ବର ଆହୁରି କହିଛି ଯେ ଓଡ଼ିଶାଭିତ୍ତିକ ଶିଳ୍ପମାନଙ୍କୁ ଆନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ରପ୍ତାନି ପ୍ରୋତ୍ସାହନ, ମୂଲ୍ୟ-ସଂଯୋଜିତ ଉତ୍ପାଦନ ଓ ବିଶ୍ୱସ୍ତରୀୟ ବଜାର ସଂଯୋଗ ଉପରେ ଆଗାମୀ ଦିନରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ।



