Type Here to Get Search Results !

କୁଡୁମୀ ସମ୍ପ୍ରଦାୟର ଅନନ୍ୟ ପରମ୍ପରା 'ଟୁସୁ ମେଳା'

 


ପାରମ୍ପରିକ ନାଚ-ଗୀତରେ ଝୁମୁଛନ୍ତି କୁଡୁମୀ ସମ୍ପ୍ରଦାୟ ଲୋକେ । ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ପବିତ୍ର ମକର ସଂକ୍ରାନ୍ତି ଅନ୍ୟତମ । ଆଉ ଏହି ମକର ପର୍ବ ଠାରୁ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର 'ଟୁସୁ ମେଳା' ଅନୁଷ୍ଠିତ ହୋଇଥାଏ ।

ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର ପ୍ରସିଦ୍ଧ ଟୁସୁ ମେଳାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା । ଆଦିମ ଜନଜାତି କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ଏହି ପର୍ବ ପାଳନ କରୁଥିବାବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ କୁଡୁମୀ ସଂଗଠନ ଟୁସୁ ମେଳାର ଆୟୋଜନ କରିଥିବା ଦେଖିବାକୁ ମିଳିଛି । ଏହି ମେଳା ଗୁଡ଼ିକରେ ବିଭିନ୍ନ ଅଞ୍ଚଳରୁ ସୁନ୍ଦର ସୁସଜ୍ଜିତ ଟୁସୁ ମେଢ ଆସିଥାଏ । ନିଜ ନିଜ ଟୁସୁ ମେଢ ନିକଟରେ ପାରମ୍ପରିକ ନାଚ, ଗୀତରେ ଝୁମିଥାନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ । ଟୁସୁ ଦେବୀ ନିଜ ଆତ୍ମ ସମ୍ମାନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ ତେଣୁ ଏହି ପର୍ବରେ କୁଡୁମୀ ସମ୍ପ୍ରଦାୟର କୁଆଁରୀ କନ୍ୟାଙ୍କୁ ବେଶ ଗୁରୁତ୍ବ ଦିଆଯାଇଥାଏ ।

କିମ୍ବଦନ୍ତୀ ଅନୁସାରେ ମକର ସଂକ୍ରାନ୍ତି ଦିନ ଏକ ମୁସଲମାନ ଶାସକର ଲୋଲୁପ ଦୃଷ୍ଟିରୁ ନିଜର ସତୀତ୍ବ ରକ୍ଷା କରିବାକୁ ଯାଇ ଟୁସୁ ନାମ୍ନୀ ଜଣେ ରାଜକୁମାରୀ ନଦୀକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ଏହି ବଳିଦାନର ସ୍ମୃତିରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁକୁ ଦେବୀ ରୂପେ ପୂଜା କରିବା ସହିତ କୁଆଁରୀମାନେ ନିଜର ସମ୍ମାନ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରତିପାଦିତ କରିଥାନ୍ତି । ସେହିପରି କିଛି କୁଡୁମୀଙ୍କ ମତରେ ଟୁସୁ ଦେବୀଙ୍କୁ ଶସ୍ୟ ଦେବୀ ଭାବେ ଗ୍ରହଣ କରିଥାନ୍ତି ଓ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା ଓ ବନ୍ଦାପନା କରିଥାନ୍ତି । ଟୁସୁ ମେଳାରେ ମାଦଳର ତାଳେ ତାଳେ ନାଚଗୀତ ଓ ମାଙ୍କଡ ନାଚ ଆଦି ନିଆରା ପରମ୍ପରା ଦେଖ‌ିବାକୁ ମିଳିଥାଏ ।

କେବଳ ସେତିକି ନୁହେଁ ପୁଅ, ଝିଅମାନେ ଟୁସୁ ଦେବୀଙ୍କୁ ସୁନ୍ଦର ଭାବରେ ସଜେଇ ପାରମ୍ପରିକ ଗୀତ ଗାଇ ଘରକୁ ଘର ବୁଲେଇବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ପାଖାପାଖି ଏକ ମାସ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ ଏହି ନାରୀ ଭିତ୍ତିକ ପର୍ବ । ଯେଉଁଥିରେ ଟୁସୁ ମେଢ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହିତ ପୁରସ୍କାର ବିତରଣ ମଧ୍ୟ ହୋଇଥାଏ । ସେପଟେ ଏହାକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଲୋକେ ଛୁଟେ ।

ଟୁସୁ ପରବ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟତଃ କୁରୁମୀ ଓ ବାକି ସମ୍ପ୍ରଦାୟଙ୍କଦ୍ୱାରା ପାଳିତ ଏକ କୃଷିଭିତ୍ତିକ ପର୍ବ । ପୁଷ୍‌ ପରବ ବା ମକର ପର୍ବରେ ଆହୂତ ଦେବୀ ଟୁସୁ ମନୀଙ୍କର ପୂଜାର୍ଚ୍ଚନା କରାଯାଏ । ଟୁସୁ କୃଷିଭିତ୍ତିକ ସଂସ୍କୃତି ଦେବୀ । ମୁଖ୍ୟତଃ କୁମାରୀ କନ୍ୟାଗଣ ଟୁସୁଦେବୀଙ୍କର ମୃଣ୍ମୟ ମୂର୍ତ୍ତିଙ୍କୁ ପୌଷ ମାସରେ ପୂଜାକରନ୍ତି । ପ୍ରତ୍ୟହ ଟୁସୁ ସଙ୍ଗୀତ ବୋଲିଥାନ୍ତି । ଏହି ସଂଗୀତର ବିଷୟବସ୍ତୁ ଟୁସୁଦେବୀଙ୍କର ଲୀଳାଖେଳା, ଟୁସୁଦେବୀ ସଂପର୍କିତ ଓ ଝୁମର ସ୍ୱରର ଲୋକଗୀତ । ପାରମ୍ପରିକ ରୀତିରେ ପିଠାପଣା ଅଥବା ମିଷ୍ଟାନ୍ନ ଟୁସୁଦେବୀଙ୍କୁ ସମର୍ପଣ କରାଯାଏ । ଟୁସୁଦେବୀଙ୍କର ପ୍ରିୟ ଫୁଲ ଗେଣ୍ଡୁ । କୁମାରୀମାନେ ଏହି ଫୁଲ ଦେବୀଙ୍କୁ ଅର୍ପଣ କରି ସନ୍ତୁଷ୍ଟ କରାନ୍ତି । ଗାଁ ମୁଖିଆ, ଦେଶ ପଧାନ ବା ମାହାନ୍ତଙ୍କ ଗୃହ ଟୁସୁଦେବୀଙ୍କ ପୂଜା ଆରାଧନାସ୍ଥଳୀ । ଟୁସୁଦେବୀ ମାସେ ପର୍ଯ୍ୟନ୍ତ ପୂଜା ପାଆନ୍ତି । ମକର ସଂକ୍ରାନ୍ତି ଦିନ ଦେବୀ ବିସର୍ଜନ ହୁଅନ୍ତି । ମକର ପର୍ବ ତିନିଦିନ ବ୍ୟାପୀ ପ୍ରଥମ ଦିନ ‘ବାଉଣ୍ଡି’ ପରଦିବସ ‘ମକର’ ଏବଂ ଶେଷ ଦିବସ ‘ଆଖାନ’ । ‘ବାଉଣ୍ଡି’ (ପୌଷ ମାସନ୍ତ) ରାତି ସାରା ଟୁସୁ ସଙ୍ଗୀତ ବୋଲାଯାଏ । କୁମାରୀ କନ୍ୟାଗଣ ଟୁସୁ ଦେବୀଙ୍କ ସହିତ ଘରକୁ ଘର ବୁଲି ବିସର୍ଜନ ଦିନ ସକାଳ ଯାଏ ଟୁସୁଗୀତ ଗାନ କରନ୍ତି । ଟୁସୁ ଦେବୀ ଏକ ସ୍ୱତନ୍ତ୍ର ଧରଣର ବିମାନ ‘ଚଉଡଲ’ ଆରୋହଣ କରି ଜଳକୁ ଗମନ କରନ୍ତି । କୁମାରୀମାନେ ବିଦାୟ ସଙ୍ଗୀତ ବୋଲନ୍ତି । ସାଂସ୍କୃତିକ ଅନୁଷ୍ଠାନମାନ ଟୁସୁ ଉତ୍ସବ, ଟୁସୁମେଳା, ଟୁସୁ ସଙ୍ଗୀତ ତଥା ‘ଚଉଡଲ’(ବିମାନ) ପ୍ରତିଯୋଗିତାମାନ କରାନ୍ତି । ଏହା ବ୍ୟତୀତ ମୟୂରଭଞ୍ଜର ଟୁକପଳାସିଆ, ଯଶିପୁର, ରାମତୀର୍ଥ, କୋଷ୍ଠା, ବହଳଦା, କେଉଁଝର, ଜୋଡା, ସୁନ୍ଦରଗଡ଼, ଝାଡ଼ଖଣ୍ଡର ହଳଦିପୋଖରୀ, ଚକ୍ରଧରପୁର, ପଶ୍ଚିମବଙ୍ଗର ସିଲଦା, ମେଦିନୀପୁର, ପୁରୁଲିଆ ପ୍ରଭୃତି ଅଞ୍ଚଳମାନଙ୍କରେ ଟୁସୁମେଳା ଆୟୋଜିତ ହୋଇଆସୁଛି । ଟୁସୁ ସଂଗୀତ, ଟୁସୁଦେବୀଙ୍କ ମୃଣ୍ମୟ ମେଢ଼ ଓ ଚଉଡଲ ନିର୍ମାଣ ପାଇଁ ପ୍ରତିଯୋଗିତାମାନ ଆୟୋଜିତ ହୋଇଆସୁଛି । 

Post a Comment

0 Comments
* Please Don't Spam Here. All the Comments are Reviewed by Admin.