ଝାରସୁଗୁଡା :-
କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ସର୍ବସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସବ୍ୟସାଚୀ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ବ୍ଲକ ଉନ୍ନୟନ ଅଧିକାରୀଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଶିବିରରେ ମୋଟ ୧୭ଗୋଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୦୪ଟି ସାମୂହିକ ଓ ୧୩ଟି ବ୍ୟକ୍ତିଗତ। ଶିବିରରେ କିର୍ମିରା, ପି. ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ, ସରକାରୀ ବସ ଚଳାଇବା ସମ୍ବନ୍ଧେ, ଲକ୍ଷଘର ଶ୍ମଶାନ ଘାଟରେ ପ୍ରତୀକ୍ଷାଳୟ, ବିଶ୍ରାମ ଗୃହ ଏବଂ ନଳକୂପ ତିଆରି ସମ୍ବନ୍ଧରେ, କୁକେରମା, ତିଳେଇମାଲ ଗ୍ରାମରେ ଟାଟା ପୱାରର କର୍ମଚାରୀ ମାନେ ଜୋର ଜବରଦସ୍ତ ବିଲ ଆଦାୟ କରୁଥିବା ସମ୍ବନ୍ଧେ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କିତ ବିଭିନ୍ନ ସାମୂହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ସେହିପରି ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ମଧ୍ୟ ଶୁଣାଣି କରାଯାଇଥିଲା। ସମ୍ପୃକ୍ତ ଅଧିକାରୀମାନଙ୍କୁ ତର୍ଜମା ପୂର୍ବକ ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚିକିତ୍ସା ସହାୟତା ବାବଦକୁ ଜଣେ ଆବେଦନକାରୀଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ୫,୦୦୦/- (ପାଞ୍ଚ ହଜାର ଟଙ୍କା) ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।


