ଝାରସୁଗୁଡ଼ା :-
ଆଜି ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲା ପାଇଁ "ସାଂସଦ ଖେଳ ମହୋତ୍ସବ-୨୦୨୫" ସ୍ଥାନୀୟ ବ୍ରଜରାଜନଗର ସ୍ଥିତ ଓ.ପି.ଏମ. ପଡିଆ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ମାନ୍ୟବର ମନ୍ତ୍ରୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ବରଗଡ଼ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ।
ଆଜି ବ୍ରଜରାଜନଗର ସ୍ଥିତ ଓ.ପି.ଏମ. ପଡିଆ ଠାରେ ସାଂସଦ, ବିଧାୟକ ଏବଂ ଜିଲ୍ଲାର ପଦାଧିକାରୀଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚିତ ହୋଇଛି I ମାରାଥନ ପ୍ରତିଯୋଗିତା ପାଞ୍ଚଗୋଛିଆ ଛକରୁ ଓ.ପି.ଏମ. ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭି.ଏସ.ଏସ. ଷ୍ଟାଡିୟମ ମଣ୍ଡଳୀୟ ଗ୍ରାଉଣ୍ଡରେ ଖୋଖୋ, କବାଡ଼ି, ଭଲିବଲ, ବ୍ୟାଡମିଣ୍ଟନ, ଯୋଗ ଓ ତାଇକୁଣ୍ଡୋ ହେଉଥିବା ବେଳେ ଝାରସୁଗୁଡ଼ା ଦ୍ୱିତୀୟ ବାଟାଲିୟନ (ଓ.ଏସ.ଏପି) ଗ୍ରାଉଣ୍ଡରେ କ୍ରିକେଟ ଓ ଫୁଟବଲ ଅନୁଷ୍ଠିତ ହେବ। ଅନଲାଇନରେ ଗ୍ରାମାଞ୍ଚଳର ଖେଳାଳିମାନେ ନିଜର ନାମ ପଞ୍ଜିକରଣ କରିଛନ୍ତି I ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଭାରତର ବିଭିନ୍ନ ସ୍ଥାନରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି I ଆଜିଠାରୁ ଆରମ୍ଭ ହୋଇଥିବା ଏହି ଖେଳ ମହୋତ୍ସବ ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାରେ ଆୟୋଜିତ ହେବ ଓ ଖେଳାଳୀମାନେ ଅଂଶ ଗ୍ରହଣ କରିବେ।

