Type Here to Get Search Results !

ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ


ଝାରସୁଗୁଡ଼ା :-

ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ତଥା "ଜିଲ୍ଲା ସ୍ତରୀୟ ସୁଶାସନ ଦିବସ - ୨୦୨୫" ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ କ୍ଷେତ୍ରର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସାଂସଦ ଶ୍ରୀ ପୁରୋହିତ ବାଜପେୟୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ସୁଶାସନ କ୍ଷେତ୍ରରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।

ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଟହାଲୁ ସାହୁ, ଶ୍ରୀ ବସନ୍ତ କୁମାର ନାଥ, ଶ୍ରୀ ବାଲ ଗୋବିନ୍ଦ ମିଶ୍ର ଏବଂ ଝାରସୁଗୁଡ଼ା ଓକିଲ ସଂଘର ସଭାପତି ଶ୍ରୀ ତ୍ରିନାଥ ଗୁଆଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ମୁଖ୍ୟ ଆକର୍ଷଣ ସାଜିଥିଲା। ପି.ଏମ୍. ଶ୍ରୀ ପୁରୁଣା ବସ୍ତି ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ସହିତ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସ୍ଥାନୀୟ ଲୋକକଳା ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ପୁରୋହିତ, ଜିଲ୍ଲାର ପ୍ରାଥମିକ ସ୍ତରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୃତୀ ପ୍ରାଥମିକ ଛାତ୍ରଛାତ୍ରୀ, ବକ୍ତୃତା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ହାଇସ୍କୁଲ ଛାତ୍ରଛାତ୍ରୀ, ଜିଲ୍ଲାର ବିଭିନ୍ନ କଲେଜରୁ ଅଂଶଗ୍ରହଣ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସଂପ୍ରତି ପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଜିଲ୍ଲାର ସମ୍ମାନସ୍ପଦ କବି ଓ କବୟତ୍ରୀମାନଙ୍କ ଦ୍ୱାରା ବାଜପେୟୀଙ୍କ ଜୀବନୀ ଉପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିସହିତ "ସୁଶାସନ" ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବୁଦ୍ଧିଜୀବୀମାନେ ନିଜର ମତ ରଖିଥିଲେ।

ସମଗ୍ର କାର୍ଯ୍ୟକ୍ରମଟି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଝାରସୁଗୁଡ଼ା ଦ୍ଵାରା ସୂଚାରୁରୂପେ ପରିଚାଳିତ ହୋଇଥିଲା। ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ

Post a Comment

0 Comments
* Please Don't Spam Here. All the Comments are Reviewed by Admin.