ଝାରସୁଗୁଡ଼ା :
ଆସନ୍ତା ନିର୍ବାଚନକୁ କେନ୍ଦ୍ରକରି ମତଦାନ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବାପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ୯୯ଟି ନୂତନ ମତଦାନ କେନ୍ଦ୍ର ଗଠନକୁ ଭାରତ ନିର୍ବାଚନ ଆୟୋଗ ଅନୁମୋଦନ ଦେଇଛି। ଏହି ନୂତନ ମଞ୍ଜୁରୀ ସହ ଜିଲ୍ଲାରେ ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୫୧୬ରୁ ବଢ଼ି ୬୧୫ରେ ପହଞ୍ଚିଛି। ଜିଲ୍ଲାରେ ମତଦାତାଙ୍କ ସଂଖ୍ୟାର ଅବିରତ ବୃଦ୍ଧି, ଗ୍ରାମୀଣ ଅଞ୍ଚଳରେ ଦୂରସ୍ଥ ଭୋଟକେନ୍ଦ୍ରର ସମସ୍ୟା, ତଥା ମତଦାନ ଦିନରେ ଭିଡ଼ କମେଇ ସୁରକ୍ଷିତ ଏବଂ ସ୍ୱଚ୍ଛ ଭୋଟିଂ ପରିବେଶ ତିଆରି କରିବାକୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ନୂତନ ମତଦାନ କେନ୍ଦ୍ର ଗଠନ ସହ ଜିଲ୍ଲାର ୫୨ଟି ମତଦାନ କେନ୍ଦ୍ରର ନାମ ସଂଶୋଧନ ଏବଂ ୧୦ଟି କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ପ୍ରସ୍ତାବକୁ ମଧ୍ୟ ECI ମଞ୍ଜୁର କରିଛି।
ବିଧାନସଭା ମଣ୍ଡଳୀ ଅନୁସାରେ ବୃଦ୍ଧି:
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ:
ପୂର୍ବରୁ ଏଠାରେ ୨୫୯ଟି ମତଦାନ କେନ୍ଦ୍ର ଥିଲା। ନୂତନ ୪୬ଟି କେନ୍ଦ୍ର ଯୋଗ ହେବା ପରେ ଏହି ମଣ୍ଡଳୀରେ ମତଦାନ ସୁବିଧା ଆହୁରି ସୁଦୃଢ଼ ହୋଇଛି।
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ:
ପୂର୍ବରୁ ୨୫୭ଟି କେନ୍ଦ୍ର ଥିଲା। ମତଦାତାଙ୍କ ସୁବିଧା ପାଇଁ ୫୩ଟି ନୂତନ କେନ୍ଦ୍ର ଗଠନ ହୋଇଛି।
ପ୍ରଶାସନୀୟ ଅଧିକାରୀମାନେ କହିଛନ୍ତି ଯେ, ଏହି ବୃଦ୍ଧି ଫଳରେ ମତଦାତାଙ୍କ ଅଭିଗମ୍ୟତା ବଢ଼ିବ, ମତଦାନ ପ୍ରକ୍ରିୟା ସ୍ମୁତ୍ ହେବ ଓ ଲୋକତନ୍ତ୍ରର ମୂଳ ଆଧାର ଥିବା ସର୍ବସାଧାରଣଙ୍କ ଭୋଟଦାନରେ ଅଧିକ ସକ୍ରିୟତା ଆସିବ।

