ବାଂଲାଦେଶକୁ ଝଟକା ଦେଇ ଭାରତ ବାଂଲାଦେଶକୁ ଦିଆଯାଉଥିବା ଟ୍ରାନ୍ସ-ସିପ୍ମେଣ୍ଟ୍ ସୁବିଧା ପ୍ରତ୍ୟାହାର କରିବାର ଏକ ବଡ଼ ନିଷ୍ପତ୍ତି ନେଇଛି।ଏହି ନିଷ୍ପତ୍ତି ଏପ୍ରିଲ ୮ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ (ଏମଇ) ସ୍ପଷ୍ଟ କରିଛି ଯେ, ଏହି ସୁବିଧା ଭାରତୀୟ ବନ୍ଦର ଏବଂ ବିମାନବନ୍ଦରଗୁଡ଼ିକରେ ଅତ୍ୟଧିକ ଭିଡ଼, ଲଜିଷ୍ଟିକ୍ ବିଳମ୍ବ ଏବଂ ଖର୍ଚ୍ଚ ବୃଦ୍ଧି ଘଟାଉଥିଲା, ଯାହା ଫଳରେ ଭାରତର ନିଜସ୍ୱ ରପ୍ତାନି ପ୍ରଭାବିତ ହେଉଥିଲା।
ବାଂଲାଦେଶରୁ ପରିବହନ ଯୋଗୁ ଭାରତୀୟ ବନ୍ଦରଗୁଡ଼ିକରେ ଟ୍ରାଫିକ ବୃଦ୍ଧି ପାଇଥିଲା, ଯାହା ଫଳରେ ଭାରତୀୟ ରପ୍ତାନିକାରୀମାନେ ସମୟାନୁସାରେ ପରିବହନରେ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କରିଥିଲେ।ଭାରତୀୟ ବାଣିଜ୍ୟ କମ୍ପାନୀଗୁଡ଼ିକ ପାଇଁ ସମୟସୀମାରେ ରପ୍ତାନି କରିବା କଷ୍ଟକର କରୁଥିଲା, ଯାହା ଅନ୍ତର୍ଜାତୀୟ ଅର୍ଡରଗୁଡ଼ିକୁ ପ୍ରଭାବିତ କରୁଥିଲା।ଭାରତ ସ୍ପଷ୍ଟ କରିଛି ଯେ, ଏହି ନିଷେଧ କେବଳ ଭାରତୀୟ ବନ୍ଦର/ବିମାନବନ୍ଦର ଦେଇ ତୃତୀୟ ଦେଶକୁ ଯାଉଥିବା ପରିବହନ ସାମଗ୍ରୀ ପାଇଁ ପ୍ରଯୁଜ୍ୟ ହେବ। କିନ୍ତୁ ବାଂଲାଦେଶରୁ ନେପାଳ ଏବଂ ଭୁଟାନକୁ ଯାଉଥିବା ସାମଗ୍ରୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ, ଯାହା ଭାରତୀୟ ଅଞ୍ଚଳ ଦେଇ ଯାଇଥାଏ। ଭାରତୀୟ ବନ୍ଦର ଏବଂ ବିମାନବନ୍ଦର ଉପରେ ଚାପ ହ୍ରାସ ପାଇବ। ଭାରତୀୟ ରପ୍ତାନିକାରୀମାନଙ୍କୁ ଆଶ୍ୱସ୍ତି ମିଳିବ। ଏହି ନିଷ୍ପତ୍ତି ସ୍ଥାନୀୟ ବ୍ୟବସାୟିକ ସ୍ୱାର୍ଥକୁ ପ୍ରାଥମିକତା ଦେବାର ନୀତିକୁ ମଧ୍ୟ ସୂଚିତ କରେ। ମହମ୍ମଦ ୟୁନୁସ୍ ଚୀନ୍ରେ କହିଥିଲେ ଯେ, ବଙ୍ଗୋପସାଗର ସେମାନଙ୍କର ଏବଂ ଏବେ ଏହି ନିଷ୍ପତ୍ତି ଦ୍ବରା ସେମାନେ ବୁଝିବେ ଯେ, ଭାରତ ମହାସାଗର ଦେଇ ବାଣିଜ୍ୟ କରିବା ପାଇଁ ଭାରତର ଦୟା ଆବଶ୍ୟକ।
ବାଂଲାଦେଶକୁ ଏବେ ନିଜର ସାମଗ୍ରୀ ପରିବହନ ପାଇଁ ଚିଟାଗଙ୍ଗ କିମ୍ବା ମୋଙ୍ଗଲା ବନ୍ଦର ଉପରେ ନିର୍ଭର କରିବାକୁ ପଡିବ। ଏହା ଲଜିଷ୍ଟିକ୍ସ ଖର୍ଚ୍ଚ ଏବଂ ପରିବହନ ସମୟ ବୃଦ୍ଧି କରିପାରେ। ବାଂଲାଦେଶର କ୍ଷୁଦ୍ର ଏବଂ ମଧ୍ୟମ ରପ୍ତାନିକାରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେବେ।