Type Here to Get Search Results !

ଆମ ସଂସ୍କୃତି ଓ ନାଗ ଚତୁର୍ଥୀ



 ଭାରତ ବର୍ଷରେ ବହୁ ପ୍ରାଚୀନ କାଳରୁ ବିଭିନ୍ନ ଜୀବ ଜନ୍ତୁଙ୍କୁ ପୂଜା କରିବାର ପରମ୍ପରା ରହି ଆସିଛି l ଗୋମାତା ହିନ୍ଦୁ ଜାତିର ନମସ୍ୟ ଓ ଗୋମାତା ଦେହରେ ସମସ୍ତ ଦେବାଦେବୀ ନିବାସ କରନ୍ତି ବୋଲି ବିଶ୍ୱାସ ରହିଛି l ବୃଷଭ ମହାଦେବଙ୍କ ବାହନ ଓ ପୂଜ୍ୟ l ସେମିତି  ସର୍ପ ବା ନାଗ ଦେବତା ପୂଜାର ପରମ୍ପରା ଆମର ବହୁ ଶାସ୍ତ୍ର ଓ ପୁରାଣ ମାନଙ୍କରେ ଦେଖାଯାଏ l ଅନନ୍ତଶାୟୀ ବିଷ୍ଣୁ ସପ୍ତଫଣୀ ନାଗ ଉପରେ ଶୟନ କରିଛନ୍ତି l ସଦାଶିବ,ମା କାଳି ଓ ଦୁର୍ଗାଙ୍କର ଭୂଷଣ ନାଗ l ବାସୁକୀ ନାଗ ପୃଥିବୀକୁ ଶିରରେ ବହନ କରିଛି l ଲକ୍ଷ୍ମଣ ଓ ବଳରାମ ଶେଷ ନାଗଙ୍କ ଅବତାର ବୋଲି କଥା ରହିଛିl ବଳରାମ ମହାପ୍ରୟାଣ ବେଳେ ନାଗ ରୂପ ଧରି ସାଗର ମଧ୍ୟରେ ଉଭେଇ ଯାଇଥିଲେ l ସମସ୍ତ ଶିବ ମନ୍ଦିରରେ ନାଗ ଫଣା ତଳେ ଶିବ ଲିଙ୍ଗ ବିରାଜମାନ କରେ l ମହାଭାରତରେ ଦ୍ୱିତୀୟ ପାଣ୍ଡଵ ଭୀମଙ୍କ ବିଷଲଡୁ ଭକ୍ଷଣ ଜନିତ ବିଷ ନାଗ ମାନେ ହରଣ କରି ଥିଲେ l ସେ ପୁଣି ନାଗ କନ୍ୟା ବେଲାବଳୀକୁ ବିବାହ କରିଥିଲେ  ଯାହାଙ୍କ ଗର୍ଭରୁ ବେଲାଳସେନ ଜନ୍ମ ହୋଇଥିଲେ l ଅର୍ଜୁନଙ୍କର ଜଣେ ପତ୍ନୀ ଉଲ୍ଲୁପି ନାଗ କନ୍ୟା ଥିଲେ ଓ ତାଙ୍କ ଗର୍ଭରୁ ପୁତ୍ର ଇରାବନ୍ତ ଜନ୍ମ ହୋଇଥିଲେ l ଅଶ୍ୱସେନ ନାଗ କର୍ଣ୍ଣର ବାଣରେ ଅବସ୍ଥାନ କରି ଅର୍ଜୁନଙ୍କ ଖାଣ୍ଡବବନ ଦହନର ପ୍ରତିଶୋଧ ନେବା ଉଦ୍ୟମ କରି ବିଫଳ ହୋଇଥିଲେ l କଳି ପ୍ରଭାବରୁ କରକୋଟକ ନାଗର ବିଷ ଜ୍ୱାଳାରେ ରାଜା ନଳ କୁରୂପ ହୋଇ ଦମୟନ୍ତୀଙ୍କ ଠାରୁ ବିଛିନ୍ନ ହୋଇ ଯାଇଥିଲେ l ବାସୁକୀ ନାଗକୁ ଖୁଆ ରଜ୍ଜୁ କରି ସାଗର ମନ୍ଥନ ହୋଇଥିଲା l ପରମ ଶାସ୍ତ୍ର ଭାଗବତର ଵ୍ୟାଖ୍ୟାନ ହୋଇଥିଲା ପରୀକ୍ଷିତ ମହାରାଜଙ୍କୁ ତକ୍ଷକ ନାଗ ଦଂଶନ କରୁ ବୋଲି ବ୍ରହ୍ମ ଅଭିଶାପରୁ l ପଶ୍ଚିମବଙ୍ଗ ଓ ଆସାମରେ ନାଗ ଦେବୀ ମନଶାଙ୍କୁ ପୂଜା କରାଯାଏ l ତାମିଲନାଡୁର ନାଗେରକୈଲ ଠାରେ ନାଗ ଦେବତାଙ୍କର ବିଶାଳ ମନ୍ଦିର ଅଛି ଓ ସେଠାରେ ପ୍ରତ୍ୟହ ନାଗ ପୂଜା ହୁଏ l ଭାରତୀୟ ଶାସ୍ତ୍ର,ପୁରାଣ ଓ ଇତିହାସର ନାଗ ସମ୍ବଧିତ ବହୁ କାହାଣୀ ଓ ଆଖ୍ୟାୟିକା ମାନ ରହିଛି l 

ପୁଣି ବଦଭ୍ୟାସ ଛାଡୁ ନଥିବା ବ୍ୟକ୍ତିକୁ ଭାଗବତ ବାଣୀ ପ୍ରୟୋଗ କରି କୁହାଯାଏ :-

                 ସର୍ପରେ ଜାତ କଲୁ ମୋତେ l

                  ସ୍ଵଭାଵ ଛାଡ଼ିବି କେମନ୍ତେ ll

ଏସବୁକୁ ଅନୁଧ୍ୟାନ କଲେ ବୁଝାଯାଏ ଯେ ଭାରତରେ ନାଗ ବା ସର୍ପ ପୂଜାର ପରମ୍ପରା ବହୁ ପ୍ରାଚୀନ l ନାଗ ପୂଜା ତାମିଲ ଓ ତେଲୁଗୁ ସମ୍ପ୍ରଦାୟ ଭିତରେ ବହୁଳ ପ୍ରସାର ଲାଭ କରିଛି l ଏହି ପରମ୍ପରାରେ ଗୋଟିଏ ପୂଜା ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା l ଏହା ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ ଭାବେ ପରିଚିତ l ନାଗ ପୁଜନ ହିନ୍ଦୁନାରୀ ମାନଙ୍କର ଅନ୍ୟତମ ପ୍ରଧାନ ବ୍ରତ l ଏହି ବ୍ରତ ପ୍ରଚଳିତ ହେବା ପଛରେ ଏକ ସୁନ୍ଦର କିମ୍ବଦନ୍ତୀ ଅଛି l

ବହୁଦିନ ତଳେ ଅବନ୍ତୀ ଦେଶରେ ଜଣେ ସାଧବ ରହୁଥିଲେ l ତାଙ୍କର ସାତ ପୁଅ ଓ ସାତ ବୋହୁ ଥିଲେ l ସାଧବ ବଡ଼ ଛଅ ବୋହୁଙ୍କୁ ବହୁତ ଆଦର ସ୍ନେହ କରେ କିନ୍ତୁ ସାନବୋହୂକୁ ଆଦୌ ଭଲ ପାଏନାହିଁ l ଘରର ସବୁ କାର୍ଯ୍ୟ ସାନ ବୋହୂକୁ କରିବାକୁ ତାଗିଦ କରିଥାଏ l ସାନ ବୋହୁ ନିର୍ଦ୍ବନ୍ଦରେ ଘରର ସବୁ କାର୍ଯ୍ୟ ସୁଚାରୁ ରୂପେ କରିଯାଏ l ଦିନେ ନାଗ ନାଗୁଣିଙ୍କ ସାତ ପୁଅ ନଦୀରେ ଗଡ଼ିଶା ମାଛ ହୋଇ ଖେଳୁଥିଲେ l ସାଧବ ବୁଢ଼ା ସେଦିନ  ନଦୀକୁ ଗାଧୋଇ ଯାଇଥିଲା ଓ ନଦୀରୁ ଏହି ସାତଟି ମାଛ ଧରି ଆଣି ସାନ ବୋହୂକୁ ରୋଷେଇ କରିବାକୁ ଦେଲା l ସାନ ବୋହୁ ମାଛ ଗୁଡିକୁ ଦ୍ୱାର ବନ୍ଧ ପାଖରେ ରଖି ଦେଇ ରୋଷେଇ କରିବାକୁ ପାସୋରି  ଯାଇଥିଲା l ଚାରି ପାଞ୍ଚ ଦିନ ପରେ ତାର ମାଛ କଥା ମନେପଡ଼ିଲା l ସେ ଯାଇ ଦେଖେ ତ ମାଛ ଗୁଡ଼ିକ ସାପଛୁଆ ପାଲଟି ଯାଇ ଖେଳୁଛନ୍ତି l ସାନ ବୋହୁ ସାପ ଛୁଆଗୁଡ଼ିକୁ ଆଣି ରୋଷେଇ ଘରେ ରଖିଲା ଓ ସେମାନଙ୍କୁ ଦୁଧ ଭାତ ଖାଇବାକୁ ଦେଇ ପୋଷିଲା l ଅଳ୍ପ ଦିନ ଭିତରେ ଛୁଆ ଗୁଡ଼ିକ ବଢ଼ିଗଲେ l ସାନବୋହୁ ସେମାନଙ୍କୁ ନେଇ ଗୋଟିଏ ଉଈ ହୁଙ୍କା ପାଖରେ ଛାଡ଼ି ଦେଇ ଆସିଲା l ସେହି ସାପ ଛୁଆ ଗୁଡ଼ିକ କ୍ରମେ ବଡ଼ ହୋଇଗଲେ ଓ ପାତାଳପୂରୀକୁ ନିଜ ବାପ ମାଆ ନାଗ ନାଗୁଣୀଙ୍କ ପାଖକୁ ଚାଲି ଗଲେ l ନାଗ ନାଗୁଣୀ ହଜି ଯାଇଥିବା ଛୁଆ ମାନଙ୍କୁ ପାଇ ବଡ଼ ଆନନ୍ଦ ହେଲେ l ଛୁଆମାନେ ତାଙ୍କର ପୂର୍ବ କଥା ଓ ସାଧବ ସାନ ବୋହୁ କଥା ବପା ମାଆଙ୍କୁ କହିଲେ l ସାନବୋହୁ ସେମାନଙ୍କୁ ପାଳି ଥିବାରୁ ତାକୁ ସେମାନେ ଧରମ ଭଉଣୀ କରିଛନ୍ତି ବୋଲି କହିଲେ l 

କିଛି ଦିନ ଅତିବାହିତ ହୋଇଗଲା l ଦିନେ ନାଗ ଛୁଆମାନଙ୍କର ଧରମ ଭଉଣୀ କଥା ମନେ ପଡିଲା l ସେମାନେ ବହୁ ପ୍ରକାରର  ଉପହାରମାନ ଧରି ଧରମ ଭଉଣୀ ସାଧବ ବୋହୂକୁ ସଙ୍ଖୋଳିବାକୁ ଆସିଲେ l ସାନବୋହୁ ଧରମ ଭାଈ ମାନଙ୍କୁ ଦେଖି ବଡ଼ ଖୁସୀ ହେଲା l ନାଗ ଭାଇମାନେ ଧରମ ଭଉଣୀକୁ ଖୁସିରେ ସବାରୀରେ ବସାଇ ପାତାଳ ପୁରକୁ ନେଇଗଲେ l ସାଧବ ବୋହୁ ପାତାଳ ପୁରରେ ମହା ସୁଖରେ ରହି କ୍ରମେ ନିଜ ଘର କଥା ଭୁଲିଗଲା l ଦିନେ ସେ ପାତାଳ ପୁରରେ ଗୋଟିଏ ଘର ଖୋଲି ଦେଖେତ ସେହି ଘରେ ବିଷଧର ସାପ ମାନେ ଫଁ ଫଁ ଫୁତ୍କାର କରୁଛନ୍ତି l ନାଗ ଓ ନାଗମାତାଙ୍କୁ ପଚାରି ଜାଣିଲାଯେ ଏହି ଫୁତ୍କାର କରୁଥିବା ସର୍ପ ମାନେ, ସଂସାରରେ ଅନ୍ୟାୟ, ଅନୀତି,ଅନାଚାର କରୁଥିବା ଲୋକ ମାନଙ୍କୁ ଦଂଶନ କରନ୍ତି l ସେହି ସର୍ପ ମାନଙ୍କୁ ନିଷ୍ଠାର ସହିତ ପୂଜା କଲେ ସେମାନଙ୍କ ଠାରୁ ବରଲାଭ କରି ମନୁଷ୍ୟ ସୁଖ ଶାନ୍ତି ଧନ, ଜନ, ଗୋପଲକ୍ଷ୍ମୀ ଯୁକ୍ତ ହୋଇଥାଏ l 

କିଛି ଦିନ ପରେ ସାଧଵବୋହୁକୁ ନାଗ ଭାଇମାନେ ନାଗ ଲୋକରୁ ନେଇ ତା ନିଜ ଘରେ ଛାଡି ଦେଇ ଆସିଲେ l ସାନ ବୋହୁ ନାଗ ଲୋକରେ ଶୁଣି ଆସିଥିବା କଥା ଅନୁଯାୟୀ ନାଗମାନଙ୍କର ପୂଜା ଆରମ୍ଭ କଲା l କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ସେ ନାଗ ପୂଜନ କରି ଥିବାରୁ ସେହିଦିନ ଠାରୁ ଏ ନାଗ ପୂଜାର ପ୍ରଚଳନ ହୋଇଛି l

ସନ୍ତାନ ଓ ଐଶ୍ଵର୍ଯ୍ୟ ପ୍ରାପ୍ତି କାମନା କରି ମହିଳା ମାନେ ଏହି ନାଗ ଚତୁର୍ଥୀ ବ୍ରତ ପାଳନ କରିଥାନ୍ତି l ସାଧାରଣତଃ କିଛି ମହିଳା ଏକତ୍ରିତ ହୋଇ ଏହି ବ୍ରତକୁ ଏକ ଓଷା ଭାବେ ପାଳନ କରିଥାନ୍ତି l ପୂଜାରେ ଅରୁଆ ଚାଉଳ, ବିରି, ମୁଗ ଚୁନା ସହିତ ଛେନା ଗୁଡ଼ ଘିଅ ନଡ଼ିଆ ମିଶାଇ ଭୋଗ ପ୍ରସ୍ତୁତ କରାଯାଏ l ଓଷେଇତି ମାନେ ସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରି ପୂଜା ସ୍ଥାନକୁ ଲିପି ପରିଷ୍କାର କରି ଆସ୍ଥାନ ପ୍ରସ୍ତୁତ କରନ୍ତି l

ପୁରୋହିତ ତମ୍ବା , ପିତଳ , ସୁନା , ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗମାନଙ୍କୁ ହଳଦୀ ପାଣିରେ ଗାଧୋଇ ଦେଇ ଆସ୍ଥାନରେ ନୂଆ ଲୁଗା ଉପରେ  ସ୍ଥାପନ କରନ୍ତି l ସର୍ପ ମାନଙ୍କୁ ଫୁଲ ଚନ୍ଦନ ସିନ୍ଦୁର ଲଗାଇ ବେଶ କରାଯାଏ l ଆସ୍ଥାନ ନିକଟରେ ଉଈ ହୁଙ୍କା ଖଣ୍ଡେ ରଖି ଚନ୍ଦନ ସିନ୍ଦୁର ଫୁଲ ଦେଇ ସଜାଇ ଦିଆ ଯାଏ l ପୁରୋହିତ ଭୋଗ ଲଗାଇ ନାଗ ଚତୁର୍ଥୀ ମାହାତ୍ମ୍ୟ ପାଠ କରନ୍ତି l ଏହି ପୂଜା ସାଧାରଣତଃ ଅପରାହ୍ନ ସମୟରେ କରା ଯାଇ ଥାଏ l କେତେକ ସ୍ଥାନରେ ଏହି ପୂଜା ଉଈହୁଙ୍କା ପାଖରେ କରାଯାଏ l ଓଷେଇତି ମାନେ ଅତ୍ୟନ୍ତ ନିଷ୍ଠାର ସହିତ ବ୍ରତ ପାଳନ କରି ନାଗ ଦେବତାଙ୍କୁ ଭକ୍ତି ନିବେଦନ କରି ଥାଆନ୍ତି l ନାଗ ଚତୁର୍ଥୀ ମାହାତ୍ମ୍ୟରେ ଏ ବ୍ରତର ପାଳନ ଵିଧି ଓ ବ୍ରତର ଫଳ ବିଷୟରେ ଲେଖା ଅଛି :-

    ବୋଲନ୍ତି ନାଗ ନାଗୁଣୀ କହିବା ଶୁଣ ଦୁଲଣୀ 

    କାର୍ତ୍ତିକ ଶୁକଳ ପକ୍ଷ ଚତୁର୍ଥୀ ପକ୍ଷେ ଯେ l

    ନାଗ ଚତୁର୍ଥୀ ପୁଣ ଯେ ବୋଲିକରି ଏହି ନାମ 

    ବ୍ରତୀ ଯେ ସକାଳୁ ସ୍ନାନ କରି ବହନ ହେ l

    ମନାସିଲେ ପୁତ୍ର ପାଇ ଆରୋଗ୍ୟ ହୋଇ ଯେ 

    ଚକ୍ଷୁରେ ରୋଗ ନ ଲାଗଇ, ପ୍ରସନ କାଶି ନାଶ ଯେ 

    ଯେ ଏହି ପୂଜା କରଇ, ପାଦୁକା ପ୍ରସାଦ ପାଇ, 

    ମନାସିଲା କଥା ତାର ହୁଏ ଅପାର ଯେ l

ନାଗ ଚତୁର୍ଥୀରେ ମାନସିକ ସ୍ୱରୂପେ ବହୁ ବ୍ୟକ୍ତି ଶିବ ମନ୍ଦିର ମାନଙ୍କରେ ତମ୍ବା,ପିତଳ,ସୁନା,ରୁପା ଇତ୍ୟାଦି ଧାତୁ ନିର୍ମିତ ନାଗ ଶିବଙ୍କୁ ଲାଗି କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥାନ୍ତି l ନାଗ ପୂଜନ ପାଇଁ ଆମର ଶାସ୍ତ୍ର ମାନଙ୍କରେ ବହୁ ମନ୍ତ୍ର ରହିଛି l ଶାସ୍ତ୍ରରେ ଥିବା କେତେଗୁଡିଏ ନାଗ ମାନଙ୍କର ନାମ ଯଥାକ୍ରମେ ବାସୁକୀ, ପଦ୍ମ, ମହାପଦ୍ମ, ତକ୍ଷକ, କୁଳିର, କର୍କଟ, ଶଂଖପାଳ, ମଣିଭଦ୍ର, ଐରାବତ, ଧ୍ରୁତରାଷ୍ଟ୍ର, ପ୍ରହ୍ଲାଦ ଇତ୍ୟାଦି l ନିମ୍ନରେ ପ୍ରଦତ୍ତ ନାଗ ମନ୍ତ୍ରରେ ବିଭିନ୍ନ ନାଗ ମାନଙ୍କର ବର୍ଣ୍ଣନା ରହିଛି l

     ଅନନ୍ତମ୍ ବାସୁକୀମ୍ ଶେଷ ପଦ୍ମନାଭ ଚ କମଲମ୍ସଂ।ସ୍ତପାଲ ଧାର୍ତ୍ତରାଷ୍ଟ୍ରମ୍ ତକ୍ଷକଂ କାଲିୟଂ ତଥା l ଏତାନି ନବ ନାଗାନି ନାଗାନାମ୍  ଚ ମହାତ୍ମନାଂ lସାୟଂକାଲେ ପଠେନ୍ନିତ୍ୟଂ ପ୍ରାତଃ କାଲେ ବିଶେଷତଃ lତସ୍ମେ ବିଷଭୟଂ ନାସ୍ତି ସର୍ବତ୍ର ବିଜୟୀ ଭଵେତ ll

ନାଗ ଦେବତାଙ୍କ ପୂଜାରେ ମନୁଷ୍ୟର ଅକାଳ ମୃତ୍ୟୁ ଭୟ ଦୂର ହୁଏ l ଗୃହସ୍ଥର ଗୃହର ସର୍ବ ରିଷ୍ଟ ଖଣ୍ଡନ ହୋଇ ଶାନ୍ତି ବିରାଜମାନ କରେ l ମନୁଷ୍ୟ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇ ସର୍ବତ୍ର ବିଜୟ ଲାଭ କରିଥାଏ l ଆସନ୍ତୁ ଏହି ନାଗ ଚତୁର୍ଥୀର ପବିତ୍ର ଦିନରେ ନାଗ ଦେବତାଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ କାମନା କରିବା

Post a Comment

0 Comments
* Please Don't Spam Here. All the Comments are Reviewed by Admin.