ଭୁବନେଶ୍ୱର :-
ବେଦାନ୍ତ ପାଉଁଶ ପରିଚାଳନା କୁ ପଡିଛି ରାଜ୍ୟ ପ୍ରଦୂଷଣ ବିଭାଗ ର ଛାଟ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଅମ୍ଭାପାଲି ରେ ପ୍ରଦୂଷଣ ନିୟମ କୁ ଫୁ କରି ଉଡାଇ କରାଯାଉଥିଲା ପାଉଁଶ ବର୍ଜ୍ୟ ଡ଼ମ୍ପିଂ ବେଦାନ୍ତ ଆଲୁମିନା ଦ୍ୱାରା। ଦୈନିକ ଶହ ଶହ ଡମ୍ଫର ଦ୍ୱାରା ବର୍ଜ୍ୟ ପାଉଁଶ ପରିବହନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଲଖନପୁର ତହସିଲ, ଝାରସୁଗୁଡା ଜିଲ୍ଲାପାଳ ଙ୍କୁ ବାରମ୍ବାର ଅଂଚଳବାସୀ ଦାବି ଦେଇ ଆସିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏକ ପ୍ରକାର ଧୃତରାଷ୍ଟ୍ର ପାଲଟି ଯାଇଥିଲା। ଜିଲ୍ଲା ପ୍ରଦୂଷଣ ବିଭାଗ ବିଷୟରେ ଅଧିକ ନ କହିବା ଭଲ।
ଅନ୍ୟ ଉପାୟ ନପାଇ ଶେଷରେ ଅଞ୍ଚଳବାସୀ ରାଜ୍ୟ ପ୍ରଦୂଷଣ ବୋର୍ଡ କୁ ଅଭିଯୋଗ କରିବା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ ନଭେମ୍ବର ୪ ତାରିଖ ରେ ପତ୍ର ନମ୍ବର 17949 / IND -I- CON -6181 ମାଧ୍ୟମରେ ବେଦାନ୍ତ କୁ ତାଗିଦ କରିବା ସହ ଆଇନ କୁ ବେଖାତିର କରି ତଥା ନିୟମ ଉଲଂଘନ କରି ବର୍ଜ୍ୟ ପାଉଁଶ ପରିଚାଳନା କରୁଥିବାରୁ ଦିଆ ଯାଇଥିବା ପରମିସନ କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ସସ୍ପେଣ୍ଡ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପ୍ରଦୂଷଣ ବିଭାଗ। ଏହାସହ ୧୫ ଦିନ ମଧ୍ୟରେ ବେଦାନ୍ତ କୁ ଅମ୍ଭାପାଲି ଠାରେ ହୋଇଥିବା ବର୍ଜ୍ୟ ପାଉଁଶ ଡ଼ମ୍ପିଂ ର ସମ୍ପୂର୍ଣ ବିବରଣୀ ପ୍ରଦାନ ପାଇଁ ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉକି ବେଦାନ୍ତ ଦ୍ୱାରା ଝାରସୁଗୁଡା, ସୁନ୍ଦରଗଡ଼ ତଥା ସମ୍ବଲପୁର ରେ ବର୍ଜ୍ୟ ପାଉଁଶ ପରିଚାଳନା କୁ ନେଇ ବାରମ୍ବାର ବିଭିନ୍ନ ମହଲରେ ତଥା ନେସନାଲ ଗ୍ରୀନ ଟ୍ରିବୁନାଲ (NGT ) ଠାରେ ଅନେକ ଅଭିଯୋଗ ଦାଖଲ ପରେ ମଧ୍ୟ ବାରମ୍ବାର ବେଦାନ୍ତ ସରକାରୀ ଆଦେଶ କୁ ଅବଜ୍ଞା କରି ବେନିୟମ ବର୍ଜ୍ୟ ପାଉଁଶ ପରିଚାଳନା କରି ଆସୁଛି। ବ୍ୟୁରୋ ରିପୋର୍ଟ