Type Here to Get Search Results !

ରାଜଧାନୀରେ ନରବଳି ଚର୍ଚ୍ଚା: ଘରୁ ମିଳିଲା ହୋମବେଦି ଓ ପୂଜା ସାମଗ୍ରୀ

 



ଭୁବନେଶ୍ବର: -

ରାଜଧାନୀରେ ନରବଳି। ପୁଣି ଜଣେ ତାନ୍ତ୍ରିକ ଯୁବତୀ ବଳି ଦେଇଛି। ଆଜି ବଡ଼ଗଡ଼ ଥାନା ବ୍ରହ୍ମେଶ୍ବରପାଟଣା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍ଭିନ କରିଛି ଏବଂ ଗୋଟିଏ ଘରୁ ହୋମବେଦି ଓ କିଛି ପୂଜା ଉପକରଣ ଜବତ କରିଛି। ପୁଲିସ ତାନ୍ତ୍ରିକକୁ ଧରି ଅଧିକ ଖୋଳତାଡ଼ କରୁଛି ଏବଂ ନରବଳି ସଂକ୍ରାନ୍ତୀୟ କୌଣସି ସୁରାକ ପାଇନଥିବା ସୂଚନା ଦେଇଛି।

ଭଡ଼ାଘର ଛାଡ଼ିବାକୁ ନେଇ ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲାଗିରହିଥିବା ବିବାଦରୁ ଏଭଳି ଅଭିଯୋଗ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ଏନେଇ ଉଭୟ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଉଭୟ ପକ୍ଷର ଅଭିଯୋଗ ଗ୍ରହଣ କରି ତଦନ୍ତ ଚଳାଇଛି।

ବ୍ରହ୍ମେଶ୍ୱରପାଟଣାରେ ଏକ ସରକାରୀ ଜମିରେ ଘର କରି ରହୁଛନ୍ତି ରଶ୍ମିରଞ୍ଜନ ନାୟକ। ସେହି ଘରର କିଛି ଅଂଶକୁ ସେ ଚର୍ଚ୍ଚିଲ ବେହେରାଙ୍କୁ ଭଡ଼ା ଆକାରରେ ଦେଇଥିଲେ। ଆଜି ଥାନାରେ ରଶ୍ମିରଞ୍ଜନ କରିଥିବା ଅଭିଯୋଗ ଅନୁସାରେ ବିଳମ୍ବିତ ରାତିରେ ଚର୍ଚ୍ଚିଲ ସେହି ଘରେ ତନ୍ତ୍ରସାଧନା କରୁଥିଲେ। ଘରକୁ ଯୁବତୀମାନେ ଆସୁଥିଲେ ଏବଂ ପୂଜାପାଠ ହେଉଥିଲା। ଘର ଭିତରୁ ହୋମଯଜ୍ଞର ମହକ ବଦଳରେ ଦରପୋଡ଼ା ଦୁର୍ଗନ୍ଧ ବାହାରୁଥିଲା। ତେଣୁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏଥିପାଇଁ ଘର ଛାଡ଼ିବାକୁ ସେ ଭଡ଼ାଟିଆ ତାନ୍ତ୍ରିକ ଚର୍ଚ୍ଚିଲ୍କୁ କହିଥିଲେ। ବାରମ୍ବାର କହିବା ପରେ ମଧ୍ୟ ଚର୍ଚ୍ଚିଲ ଘର ଛାଡ଼ିନଥିଲା। ପାଲଟା ଧମକ ଦେଇଥିଲା। ତନ୍ତ୍ର ବଳରେ ସେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା। ଏଥିରେ ରଶ୍ମିରଞ୍ଜନ ଡରିଯାଇଥିଲେ ଏବଂ ପ୍ରକୃତ ଘଟଣା ଜାଣିବାକୁ ଚାହିଥିଲେ। ଆଜି ଚର୍ଚ୍ଚିଲ ଘରେ ନଥିବା ବେଳେ ରଶ୍ମିରଞ୍ଜନ ଘର ଭିତରକୁ ଯାଇ ବିସ୍ମୟକର ଦୃଶ୍ୟ ଦେଖିଥିଲେ।

ଘର ଭିତରେ ହୋମବେଦି ପାଇଁ ବଡ଼ଗାତ ଥିଲା। ଗାତ ନିକଟରେ ରକ୍ତଭିଜା ପାତ୍ର, ହାଡ଼, ଦେବୀଙ୍କ ଫଟୋ, ତ୍ରିଶୂଳ, କଳସ, ସିନ୍ଦୁର ଆଦି ଥିଲା। ଏସବୁ ଦେଖିବା ପରେ ରଶ୍ମିରଞ୍ଜନଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ଏବଂ ତୁରନ୍ତ ସେ ଘରେ ତାଲା ପକାଇ ଥାନାକୁ ଆସିଥିଲେ।
ବଡ଼ଗଡ଼ ଥାନା ପୁଲିସ କହିବା କଥା ରଶ୍ମିରଞ୍ଜନଙ୍କ ଅଭିଯୋଗ ପରେ ପୁଲିସ ଉକ୍ତ ଘରକୁ ଯାଇଥିଲା। ଖବର ପାଇ ଭଡ଼ାଟିଆ ଚର୍ଚ୍ଚିଲ୍ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ତାଙ୍କ ଅନୁପସ୍ଥିତିରେ ରଶ୍ମିରଞ୍ଜନ ଘର ଭିତରେ ପଶିବା ଓ ତାଙ୍କ ନାଁରେ ମିଛ ଅଭିଯୋଗ କରିଛନ୍ତି ବୋଲି ସେ ଥାନାରେ ଏତଲା ଦେଇଛନ୍ତି। ବଡ଼ଗଡ଼ ଥାନା ପୁଲିସ ସୂଚନାନୁସାରେ ବିବାଦୀୟ ଘର ଭିତରୁ ହୋମବେଦି ସହିତ କିଛି ପୂଜା ଉପକରଣ ଓ ସାମଗ୍ରୀ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ହାଡ଼ କି ରକ୍ତଭିଜା ପାତ୍ର ନଥିଲା। ନରବଳି ଦେବା ଭଳି କିଛି ବି ଗନ୍ଧ ନଥିଲା। ତଥାପି ଉଭୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ପ୍ରକୃତ କଥା ପଦାକୁ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.