ଭୁବନେଶ୍ବର:
ରାତିଅଧରେ ରକ୍ତ ରଞ୍ଜିତ ହେଲା ରାଜଧାନୀ। ପ୍ରେମ ପାଇଁ ଦାଦାକୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟା। ଏ ଛାତିଥରା ହତ୍ୟାକାଣ୍ଡ ଘଟିଛି ଡ଼ୁମୁଡ଼ୁମା ରଘୁନାଥନଗର ଶୁକବିହାରରେ। ମୃତକ ହେଲେ ସୁକ ବିହାରର ଜଗତ ମଲ୍ଲିକ ଓରଫ ଜଗା(୩୨)। ଏନେଇ ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ଦୁଇଜଣ ନାବାଳକଙ୍କୁ କାବୁ କରିଛି।
ସୂଚନା ମୁତାବକ, ଗତ ୩ବର୍ଷ ହେବ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ଜଗାଙ୍କ ଝିଆରୀଙ୍କୁ ଏକ ତରଫା ଭାବେ ଭଲପାଉଥିଲା। ୩ ମାସ ତଳେ ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଗା ଉକ୍ତ ନାବାଳକକୁ ତାଗିଦ୍ କରିଥିଲେ। ଏହାକୁ ନେଇ ନାବାଳକଙ୍କ ପରିବାର ଓ ଜଗାଙ୍କ ପରିବାର ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। କଥା ଥାନା ପର୍ଯ୍ୟନ୍ତ ବଢ଼ିଥିଲା। ପୁଲିସ ଉଭୟ ପକ୍ଷକୁ ବୁଝାସୁଝା ପରେ ସ୍ଥିତି ସାମାନ୍ୟ ହୋଇଥିଲେ ବି ଭିତରେ କ୍ରୋଧ କୁହୁଳୁଥିଲା। ତା’ପରେ ମଧ୍ୟ ଉକ୍ତ ନାବାଳକ ବାଳିକାଙ୍କୁ ହଇରାଣହରକତ କରୁଥିଲା। ଫଳରେ ଦୁଇ ପରିବାର ଏକାଧିକ ଥର ମୁହାଁମୁହିଁ ହୋଇଥିଲେ। ପ୍ରାୟ ୧୫ ଦିନ ତଳେ ମଧ୍ୟ ଜଗା ଓ ନାବାଳକ ଭିତରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ନାବାଳକ ନିଜ ଜିଦ୍ରେ ଅଟଳଥିଲା। ଶେଷରେ ତା’ ଏକତରଫା ପ୍ରେମରେ କଣ୍ଟା ସାଜିଥିବା ଦାଦା ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଘର ପାଖରେ ରହୁଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲ୍ମ ଅଞ୍ଚଳର ଜଣେ ସାଙ୍ଗକୁ ଘଟଣା ସମ୍ପର୍କରେ କହିଥିଲା। ଦୁହେଁ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଓ ସୁଯୋଗକୁ ଅପେକ୍ଷା କରିଥିଲେ।
ବୁଧବାର ରାତିରେ ସାହିର ଗଣେଶପୂଜା ପାଇଁ ବୈଠକ ଓ ଭୋଜିଥିଲା। ଦୁଇ ନାବାଳକ ଜାଣିଥିଲେ ଯେ ଜଗା ସେଠାକୁ ଯିବେ। ତେଣୁ ସେ ଫେରିବା ସମୟରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଦୁଇସାଙ୍ଗ ଦୁଇଟି ଖଣ୍ଡା ସହିତ ଜଗାଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ। ରାତି ପାଖାପାଖି ୧୨ଟା ସମୟରେ ଜଗା ସ୍କୁଟିରେ ଘରକୁ ଫେରୁଥିଲେ। ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ସେ ସ୍କୁଟି ବୁଲାଉ ଥିବାବେଳେ ପୂର୍ବରୁ ଜଗି ରହିଥିବା ନାବାଳକ ଅତର୍କିତ ଭାବେ ଜଗାଙ୍କୁ ଆକ୍ରମଣ କରିଥିଲା। ଖଣ୍ଡାରେ ସେ ୩-୪ ଚୋଟ ପକାଇଥିଲା, ଗୋଟିଏ ଚୋଟ ଗଳାରେ ବାଜିଥିଲା। ଚୋଟ ଖାଇବା ପରେ ବି ଜଗା ସ୍କୁଟି ଛାଡ଼ି ନଥିଲେ। ସ୍କୁଟି ସହ ଘର ଦୁଆରମୁହଁ ପର୍ଯ୍ୟନ୍ତ ପଳାଇ ଯାଇଥିଲେ ଓ ଦୁଆର ମୁହଁରେ ଅପେକ୍ଷା କରିଥିବା ପତ୍ନୀଙ୍କ ସମ୍ମୁଖରେ ପଡ଼ିଯାଇଥିଲେ। ସ୍ବାମୀ ସ୍କୁଟିରୁ ପଡ଼ିଯିବା ଦେଖି ପତ୍ନୀ ହଠାତ୍ କିଛି ବୁଝିପାରିନଥିଲେ। ପାଖକୁ ଯାଇ ବେକରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ପାଟିକରି ଅନ୍ୟମାନଙ୍କୁ ଡାକିଥିଲେ। ତାଙ୍କ ପାଟିଶୁଣି ପରିବାରଲୋକ ଓ ପଡ଼ୋଶୀମାନେ ଧାଇଁ ଆସିଥିଲେ। ତୁରନ୍ତ ଜଗାଙ୍କୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ବ୍ୟବଚ୍ଛେଦ ପରେ ଆଜି ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଅନ୍ୟପଟେ ପୁଲିସ ରାତାରାତି ଚଢ଼ଉ କରି ନାବାଳକ ଦୁଇଜଣଙ୍କୁ କାବୁ କରିଥିଲା। ହତ୍ୟାକାଣ୍ଡ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସ ହାତରେ ଲାଗିଛି। ନାବାଳକ ଦ୍ବୟ କେମିତି ଆକ୍ରମଣ କରିଥିଲେ, ହତ୍ୟାକରିବା ପରେ କିଭଳି ସେଠାରୁ ଦୌଡ଼ି ଚମ୍ପଟ ମାରିଥିଲେ, ସେସବୁ ସିସିଟିଭି ଫୁଟେଜ୍ରେ ରହିଛି। ପୁଲିସ ସେ ଫୁଟେଜ୍କୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ସହିତ ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।