Type Here to Get Search Results !

ଲଘୁଚାପ ପ୍ରଭାବରେ ଲାଗି ରହିବ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ SRCଙ୍କ ନିର୍ଦ୍ଦେଶ

 


ଭୁବନେଶ୍ୱର :-

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏ ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଓ ଉପକୂଳର ଅନେକ ଜାଗାରେ ବର୍ଷା ସମ୍ଭାବନା ଅଛି ।

ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।ଏଥିପାଇଁ ଏ ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୋମବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ମଙ୍ଗଳବାର (୩୦ ତାରିଖ) ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣର ଅନେକ ଜାଗାରେ ବର୍ଷା ହେବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷିପାରେ । ୩୧ ତାରିଖରେ ସବୁଠାରୁ ଅଧିକ ବର୍ଷା ହୋଇପାରେ । ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧ ଓ ୨ ତାରିଖରେ ବର୍ଷା ପରିମାଣ କମିପାରେ ।

ମାତ୍ର ଭିନ୍ନ ଆକଳନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ତାଙ୍କ କହିବାନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଅଭିମୁଖେ ଯିବ । ଏହାର ପ୍ରଭାବରେ ଆଜି ରାତିରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୮ ଓ ୨୯ ତାରିଖରେ ବଡ଼ ବର୍ଷା ନାହିଁ । ଆସନ୍ତା ୩୦ ତାରିଖରୁ ବର୍ଷାର ପରିମାଣ ଆସ୍ତେ ଆସ୍ତେ ବଢ଼ିବ ।

ତାଙ୍କ ଆକଳନ ଅନୁସାରେ, ୩୦ ତାରିଖରେ ପଶ୍ଚିମବଙ୍ଗ ଓ ଏହା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହି କ୍ଷେତ୍ର ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଅଗ୍ରସର ହୋଇ ଝାଡ଼ଖଣ୍ଡ ଆଡକୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ବର୍ଷା ବୃଦ୍ଧି ପାଇବ । ବିଶେଷ କରି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨ ଓ ୩ ତାରିଖରେ ଅଧିକ ବର୍ଷା ହେବ ବୋଲି ସେ ଅନୁମାନ କରିଛନ୍ତି । ଏତେ ବର୍ଷା ସତ୍ତେ୍ୱ ରାଜ୍ୟରେ ଏବେ ବି ୧୧ ଜିଲ୍ଲାରେ ବର୍ଷା ଅଭାବ ରହିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଶନିବାର ସକାଳ ୮ଟା ୩୦ ସୁଦ୍ଧା କୋରାପୁଟର ନନ୍ଦପୁରରେ ୧୪୦ ମିଲିମିଟର, ଜୟପୁରରେ ୧୩୦ ମିମି, ଲମତାପୁଟରେ ୧୧୦, ବଣାଇଗଡ଼ରେ ୧୧୦, ଭୋଗରାଇରେ ୧୧୦, ଥୁଆମୂଳ ରାମପୁରରେ ୧୧୦, ମୋରଡ଼ାରେ ୧୧୦, କରଞ୍ଜିଆରେ ୯୦, ଜଳେଶ୍ୱରରେ ୧୦୦, ଯଶିପୁରରେ ୮୦, ବିନିକାରେ ୮୦, କୋରାପୁଟରେ ୯୮.୨, ନବରଙ୍ଗପୁରରେ ୫୨ ମିମି, ସୋନପୁରରେ ୪୯.୪ ମିମି, ସମ୍ବଲପୁରରେ ୪୩.୮, କେନ୍ଦୁଝରରେ ୪୧, ବାଲେଶ୍ୱରରେ ୩୦ ମିମି ବର୍ଷା ହୋଇଥିଲା । ଆଜି ସକାଳୁ ଅପରାହ୍ନ ସାଢ଼େ ୫ଟା ଭିତରେ ଭବାନୀପାଟଣାରେ ୬୦.୮ ମିମି, ନବରଙ୍ଗପୁରରେ ୨୮, ରାଉରକେଲାରେ ୧୯, କୋରାପୁଟରେ ୨୨ ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାର ତଳି ଅଞ୍ଚଳରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନକୁ କୁହାଯାଇଛି । ସହରାଞ୍ଚଳରେ ବର୍ଷା ଜଳ ନିଷ୍କାସନ ନେଇ ବ୍ୟବସ୍ଥା କରିବାକୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.