ସମ୍ବଲପୁର:-
ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ ଜଳଭଣ୍ଡାରର ସୁଇସ୍ ଗେଟ୍ ଖୋଲାଯାଇଛି।
ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ପ୍ରଥମେ ଡ୍ୟାମ୍ର ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ଖୋଲାଯାଇଥିଲା। ମୋଟ ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ଟି ଗେଟ୍ । ଏବେ ୭ଟି ଗେଟ ଖୋଲାଯାଇଥିବା ବେଳେ ୧୨ଟା ପରେ ଆଉ ୭ଟି ଗେଟ୍ ଖୋଲିବ । ସେହିପରି ଅପରାହ୍ନ ୨ଟା ପରେ ଆଉ ୬ଟି ଗେଟ୍ ଖୋଲାଯିବ । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୬୧୬.୯୩ ଘନଫୁଟ ଜଳ ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଛି୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୧୨୬ ଘନଫୁଟ ବନ୍ୟାଜଳ । ମୁଣ୍ଡଳିକୁ ଆସନ୍ତା ୩୬ ଘଣ୍ଟା ପରେ ପହଞ୍ଚିବ ବନ୍ୟା ଜଳ । ଏନେଇ ରାଜ୍ୟର ୧୩ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି।
ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତିନି ଦିନ ତଳେ ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏନେଇ ଆବଶ୍ୟକ ପ୍ରସ୍ତୁତ କରାଯାଇଥିଲା। ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଅବଗତ କରାଯାଇଥିଲା। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକୁ ପ୍ରବେଶ ନ କରିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ କରାଇଥିଲେ।

.jpeg)