Type Here to Get Search Results !

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ ବୟାନ । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର, ଜାଣନ୍ତୁ କେମିତି ହିତାଧିକାରୀ ବାଛିବେ ସରକାର?

 



ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଂଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ। କନକ ନ୍ୟୁଜକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମନ୍ତ୍ରୀ ରବି ନାୟକ କହିଛନ୍ତି, ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର । ଚିଠା ପ୍ରାୟ ପ୍ରସ୍ତୁତ ହୋଇ ସାରିଛି । ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ସରକାର।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ୧୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ଉଲ୍ଲେଖ କରିଥିଲା। ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ। କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି। ଆଗାମୀ ଦିନରେ ଏହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ଏବେ କିଛି ଲୋକ ବିଡ଼ିଓଙ୍କୁ ଦରଖାସ୍ତ ଦେଇଛନ୍ତି, ଆଉ କିଛି ଲୋକ ଅନଲାଇନରେ ଆବେଦନ କରିଛନ୍ତି। ତାକୁ ସଂକଳନ ଚାଲିଛି। ଯଦି ଏହା ୧୫ ଲକ୍ଷରୁ ଅଧିକ ହୁଏ ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହାସହ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରର ଯୋଜନା ହୋଇଥିବାରୁ ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା। ତେଣୁ ଲୋକ ପାଇବାରୁ ବଞ୍ଚିତ ହେଉଥିଲେ। ବିଭିନ୍ନ ସମୟରେ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଘର ପାଇଛନ୍ତି। ତା ଭିତରେ କିଛି ଲୋକ କାମ ମଧ୍ୟ କରି ନାହାନ୍ତି। ଏମିତି ମଧ୍ୟ ନଜିର ଆମ ସାମ୍ନାକୁ ଆସିଛି। ତା ଉପରେ ବର୍ତ୍ତମାନ ସରକାର ନଜର ରଖିଛନ୍ତି। ଏଥର ଗ୍ରାମସଭା ଓ ପଲ୍ଲୀସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀ ବଛାଯିବ । ଯଦି ବାପା ଓ ଦୁଇ ପୁଅ ଅଲଗା ଅଲଗା ରହୁଛନ୍ତି । ସେମାନଙ୍କୁ ୩ଟି ଘର ମିଳୁ ନଥିଲା। ଏବେ ସମସ୍ତଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି ସରକାର। ଯେମିତି ରାଜ୍ୟର ସବୁ ଗରିବ ଯୋଗ୍ୟ ହିତାଧିକାରୀ ଘର ପାଇପାରିବେ। ଏବେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବର୍ଷା ଦିନ ସରିବା ମାତ୍ରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.