Type Here to Get Search Results !

ଗଧିଆଖାଲରେ ଗର୍ଜିଲା ବନ୍ଧୁକ: ଚୂନା କରିଦେଲେ କାର୍‌, ବାଇକ୍‌

 



ଭୁବନେଶ୍ବର:-

ଆଜି ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀରେ ଦିନତମାମ ସବୁଆଡ଼େ ଭକ୍ତିମୟ ପରିବେଶ ଲାଗି ରହିଥିଲା। କିନ୍ତୁ ରାତି ଅଧରେ ବଡ଼ଗଡ଼ ଥାନା ଗଧିଆଖାଲ ବସ୍ତିରେ ଗର୍ଜିଲା ବନ୍ଧୁକ। ବନ୍ଧୁକ, ଖଣ୍ଡା, ଭୁଜାଲି, ରଡ୍‌ ଭଳି ମାରଣାସ୍ତ୍ରରେ ସଜ୍ଜିତ ୧୫ରୁ ୨୦ ଦୁର୍ବୃତ୍ତ ଏକ ଖଟିରେ ଅତର୍କିତ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ।

ବ୍ଲାଙ୍କ୍‌ ଫାୟାରିଂ କରି ପୂରା ବସ୍ତିକୁ ଥରହର କରିଥିଲେ। ୨ଟି କାର୍‌ ଓ ୬/୭ଟି ବାଇକ୍‌ ଭାଙ୍ଗି ଚୂନା କରିଦେଇଥିଲେ। ବଡ଼ଗଡ଼ ଥାନା ପହଞ୍ଚି ୨ ଜଣଙ୍କୁ କାବୁ କରିଛି ଏବଂ ଘଟଣାସ୍ଥଳରୁ କିଛି ଖୋକା ଜବତ କରିଛି। ଗଣ୍ଡଗୋଳର କାରଣ ଜଣାପଡ଼ିନାହିଁ। କିନ୍ତୁ କମେଣ୍ଟମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଏହି ଗଣ୍ଡ‌ଗୋଳ ଘଟିଛି ବୋଲି ସନ୍ଦେହ କରାଯାଉଛି। ଏହା ପଛରେ ରାଜନୈତିକ ଶତ୍ରୁତା ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଧିଆଖାଲ ବସ୍ତିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା। ରବିବାର ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ଯୁବକମାନେ ଖଟି କରୁଥିଲେ। ଏତିକିବେଳେ ଅନ୍ୟଗୋଷ୍ଠୀର ଯୁବକମାନେ ସେମାନଙ୍କୁ କମେଣ୍ଟ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। କିନ୍ତୁ ଗୋଟିଏ ଗୋଷ୍ଠୀ ହାରିଯିବା ଆଶଙ୍କାରେ ସେଠାରୁ ପଳାଇଥିଲେ। ରାତି ପାଖାପାଖି ସଢ଼େ ୧୦ଟା ସମୟରେ ହଠାତ୍‌ ପଳାଇଥିବା ଗୋଷ୍ଠୀର ୧୫ରୁ ୨୦ ବାଇକ୍‌ ଯୋଗେ ସେଠାରେ ପହଞ୍ଚିଥିଲେ। ସମସ୍ତେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇଥିଲେ। ସେତେବେଳକୁ ଅନ୍ୟ ଗୋଷ୍ଠୀର ଯୁବକମାନେ ଖଟିରେ ଥିଲେ। କିନ୍ତୁ ପୂରା ପ୍ରସ୍ତୁତ ହୋଇ ଆସିଥିବା ଅପରଗୋଷ୍ଠୀ ବ୍ଲାଙ୍କ୍‌ ଫାୟାରିଂ କରିବାରୁ ସେମାନେ ପ୍ରାଣ ବିକଳରେ ଛତ୍ରଭଙ୍ଗ ଦେଇଥିଲେ।

ସେମାନଙ୍କୁ ପିଛା କରି ନ ପାରି ଆକ୍ରମଣକାରୀମାନେ ସେଠାରେ ଥିବା ୨ କାର୍‌ ଓ ବାଇକ୍‌ଗୁଡ଼ିକୁ ପିଟି ଭାଙ୍ଗି ପକାଇଥିଲେ। ସେମାନଙ୍କ ଉଗ୍ର ରୂପ ଦେଖି ଗଧିଆଖାଲ ବସ୍ତିବାସିନ୍ଦାମାନେ ଘରେ ପଶି କବାଟ କିଳି ପକାଇଥିଲେ। ଖବର ପାଇ ବଡ଼ଗଡ଼ ଥାନା ଘଟଣାସ୍ଥଳକୁ ଆସିଥିଲା, କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ପଳାଇଥିଲେ। ତଥାପି ପୁଲିସ ଗୋଡ଼ାଇ ଗୋଡ଼ାଇ ୨ ଯୁବକଙ୍କୁ ଧରିଥିଲା। ସେହିଭଳି ବନ୍ଧୁକ ଫୁଟିଥିବା ଅଭିଯୋଗ ପାଇବା ପରେ ପୁଲିସ ସେଠାରେ ଖୋଜାଖୋଜି କରି କିଛି ଖୋକା ପାଇଥିଲା। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ବସ୍ତିରେ ପୁଲିସ ମୁତୟନ କରାଯାଇଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.