ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ପ୍ରବଳ ବର୍ଷା ସମ୍ଭାବନା ଅଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
ସୋମବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ୯ ତାରିଖ (ମଙ୍ଗଳବାର) ଓ ୧୦ ତାରିଖ (ବୁଧବାର) ବର୍ଷା ଅଳ୍ପ କିଛି ସ୍ଥାନରେ ହେବ । ୧୧ ଓ ୧୨ରେ ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି ।
ଶନିବାର ସକାଳୁ ସନ୍ଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୩ ମିମି, ବୌଦ୍ଧରେ ୩୧, ବଲାଙ୍ଗୀରରେ ୧୫, ଅନୁଗୁଳରେ ୧୦ ମିମି ବର୍ଷା ହୋଇଛି । ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି ।
ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ହାରାହାରି ୧୯୮.୨ ମିଲିମିଟର ବର୍ଷା ହୋଇଛି । ସ୍ୱାଭାବିକଠାରୁ ରାଜ୍ୟରେ ୨୫% ବର୍ଷା ନିଅଣ୍ଟିଆ ରହିଛି । ଏବେ ବି ୧୮ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିଛି । ମୟୂରଭଞ୍ଜ ଓ ବାଲେଶ୍ୱରରେ ସ୍ଥିତି ସବୁଠୁ ଖରାପ । ମୟୂରଭଞ୍ଜରେ ୬୧% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ରହିଛି ବର୍ଷା । ଭଦ୍ରକରେ ୪୫%, କେନ୍ଦୁଝରରେ ୪୨%, ପୁରୀରେ ୪୩%, ଯାଜପୁରରେ ୩୭%, କଳାହାଣ୍ଡିରେ ୩୭%, ନୂଆପଡ଼ାରେ ୩୬%, ବଲାଙ୍ଗୀରରେ ୩୩%, ଅନୁଗୁଳରେ ୩୧% ବର୍ଷା କମ୍ ହୋଇଛି । ଏସବୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆଗେଇବାରେ ସମସ୍ୟା ଦେଖା ଦେଇଛି । ଏହାବାଦ୍ ରାୟଗଡ଼ା, ଗଜପତି, ଗଞ୍ଜାମ, ବରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୁନ୍ଦରଗଡ଼ରେ ବର୍ଷା ନିଅଣ୍ଟିଆ ରହିଛି ।
କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ସୋନପୁର, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।

.jpeg)
