Type Here to Get Search Results !

ଘର ସଜାଡ଼ିଲେ ନବୀନ: ଭାଙ୍ଗିଦିଆଗଲା ସବୁ ରାଜ୍ୟ କମିଟି

 


ନିର୍ବାଚନରେ ବିପର୍ଯ୍ୟୟ ବିଜେଡିକୁ ଦୋହଲାଇ ଦେଇଥିଲା। ୨୪ ବର୍ଷର ସରକାର କ୍ଷମତାଚ୍ୟୁତ ହେଲେ। ଭାରତର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡରୁ ବଞ୍ଚିତ ହେଲେ ନବୀନ ପଟ୍ଟନାୟକ। ଏଭଳି ଅପ୍ରତ୍ୟାଶିତ ନିର୍ବାଚନ ଫଳାଫଳକୁ ତୃଣମୂଳ ଯାଏ କର୍ମୀ ଗ୍ରହଣ କରିପାରୁନାହାନ୍ତି। କାହାର ଭୁଲ ପାଇଁ ଭୋଟର ମୁହଁ ଫେରାଇନେଲେ, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ବିଜେଡିରେ ଏ ନେଇ କିଭଳି ମାନସମନ୍ଥନ ହେଲା, ତାହା ତ ଅଲଗା କଥା; ଏବେ କିନ୍ତୁ ବରିଷ୍ଠ ନେତାଙ୍କୁ ନେଇ ବିଜେଡି ରାଜ୍ୟ ସଭାପତି ଦଳକୁ ପୁଣି ସଜାଡ଼ିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରେ ନବୀନ ସବୁ ପ୍ରମୁଖ ରାଜ୍ୟ କମିଟିକୁ ଭାଙ୍ଗି ଦେବା ସହିତ ନୂଆ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି। ଦଳ କ୍ଷମତାରୁ ବାହାରି ଯିବାର ମାସକ ପରେ ଆଜିର ସାଂଗଠନିକ ନବକଳେବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ବିଜେଡି ସଭାପତି ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାମାନେ ନିଜ ନିଜ ପଦବି ବଜାୟ ରଖିବେ। ସେହି କମିଟିଗୁଡ଼ିକ ଭଙ୍ଗାଯାଇ ନାହିଁ। ଖୁବ୍ ଶୀଘ୍ର ରାଜ୍ୟ କମିଟିର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଶ୍ରୀ ପଟ୍ଟନାୟକ କଟକର ଲୋକସଭା



ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏଭଳି ପଦବି ବିଜେଡିରେ ନଥିଲା। କର୍ପୋରେଟ୍ ଜଗତ ଛାଡ଼ି ସେ ବିଜେଡିରେ ଯୋଗଦେଇଥିଲେ ଓ ଗତ ନିର୍ବାଚନରେ କଟକରୁ ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ସେହିପରି ସୁକାନ୍ତ ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ଦୀର୍ଘଦିନ ଧରି ଶ୍ରୀ ପଣ୍ଡା ତାଙ୍କର ଲୋକସମ୍ପର୍କ ଅଧିକାରୀ ଥିଲେ।

ଅନ୍ୟପକ୍ଷରେ ଆଜି ଦଳର ମୁଖପାତ୍ର ଓ ଗଣମାଧ୍ୟମ ସଂଯୋଜକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ବିଜେଡିର ରାଜ୍ୟ ମୁଖପାତ୍ର ତାଲିକାରେ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଡ. ଅରୁଣ କୁମାର ସାହୁ, ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଲେନିନ୍ ମହାନ୍ତି। ସେହିପରି ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ଚାରି ଜଣ ନେତାଙ୍କୁ ଗଣମାଧ୍ୟମ ସଂଯୋଜକ ଦାୟିତ୍ବ ଦିଆଯାଇଛି। ସେମାନେ ହେଲେ ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା, ସାମାଜିକ ଗଣମାଧ୍ୟମ ସଂଯୋଜକ ସ୍ବୟମ୍ ପ୍ରକାଶ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ଓ ଡ. ପ୍ରିୟବ୍ରତ ମାଝୀ। ଏଠାରେ ଉଲ୍ଲେଖଥାଉକି, ନିର୍ବାଚନ ପୂର୍ବରୁ ବିଜେଡି ରାଜନୀତିରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ପରବର୍ତ୍ତୀ ସମୟରେ ଶ୍ରୀ ପଟ୍ଟନାୟକ ଦଳର ସବୁ ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବା ସହିତ ଦଳ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.