Type Here to Get Search Results !

ବଢ଼ିଲା ଦୁଇ ବିଧାୟକଙ୍କ ଅଡ଼ୁଆ, ନୋଟିସ ଜାରି କଲେ ହାଇକୋର୍ଟ, ଜାଣନ୍ତୁ କାରଣ

 





ଢ଼ିଲା ଦୁଇ ବିଧାୟକଙ୍କ ଅଡ଼ୁଆ । ନୋଟିସ ଜାରି କଲେ ହାଇକୋର୍ଟ । ନିର୍ବାଚନରେ ଅନିୟମିତତା ଅଭିଯୋଗରେ ଦାଏର ମାମଲାର ଶୁଣାଣି କରି ହାଇକୋର୍ଟ ୨ ବିଧାୟକଙ୍କୁ ଗୁରୁବାର ନୋଟିସ୍‌ ଜାରି କରିଛନ୍ତି।

୨୦୨୪ ନିର୍ବାଚନରେ ଅନିୟମିତତା କାରଣରୁ ଏହି କୋର୍ଟ ନୋଟିସ ଜାରି କରିଛନ୍ତି। ବାଲେଶ୍ୱର ଜିଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ମାଧବ ଧଡ଼ା ଏବଂ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଏହି ନୋଟିସ୍‌ ଜାରି ହୋଇଛି।

ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଛି।

ସୂଚନା ଅନୁସାରେ, ସୋର ନିର୍ବାଚନମଣ୍ଡଳୀର ପରାଜିତ ଭାଜପା ପ୍ରାର୍ଥୀ ପର୍ଶୁରାମ ଧଡ଼ା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ନିର୍ବାଚନମଣ୍ଡଳୀର ବିଜୟୀ ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ତାଙ୍କ ସତ୍ୟପାଠରେ ଭୁଲ୍‌ ତଥ୍ୟ ପ୍ରଦାନ କରିଛନ୍ତି। ବିଧାୟକଙ୍କ ନାମରେ ଥିବା ଆପରାଧିକ ମାମଲା ଓ ସରକାରୀ ଦେୟ ଅନାଦାୟ ଥିବା ସେ ସତ୍ୟପାଠରେ ଦର୍ଶାଇନାହାନ୍ତି। ନିଜର କେତେକ ତଥ୍ୟ ସେ ଲୁଚାଇଛନ୍ତି।

ଯାହାକି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ଚଳିତ ନିର୍ବାଚନରେ ସୋର ନିର୍ବାଚନମଣ୍ଡଳୀରୁ ପର୍ଶୁରାମ ୬୨,୮୪୦ ଖଣ୍ଡ ଓ ମାଧବ ୬୩, ୬୪୨ ଖଣ୍ଡ ଭୋଟ ପାଇଥିଲେ। ଆସନ୍ତା ସେପ୍ଟେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେହିପରି ନର୍ଲା ବିଧାନସଭାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ନିର୍ବାଚନୀ ଅନିୟମିତତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ନିର୍ବାଚନୀ ସତ୍ୟପାଠରେ ମନୋରମା ନିଜ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଠିକ୍‌ ଭାବେ ଦର୍ଶାଇ ନାହାନ୍ତି। ଏଥିସହ ଆହୁରି କେତେକ ତଥ୍ୟ ମଧ୍ୟ ସେ ଲୁଚାଇଛନ୍ତି, ଯାହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆସନ୍ତା ସେପ୍ଟେମ୍ବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.