Type Here to Get Search Results !

ଓଡ଼ିଶା ହାଇକୋର୍ଟର ଜଜ୍ ଜଷ୍ଟିସ ବି ଆର୍‌ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

 




ଟକ :-

ଝାଡ଼ଖଣ୍ଡ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହେବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ଷଡ଼ଙ୍ଗୀଙ୍କୁ ନୂତନ ନିଯୁକ୍ତି ମିଳିବା ସହ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୨୩ ଡିସେମ୍ବର ୨୭ରୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ଷଡ଼ଙ୍ଗୀଙ୍କ ନାମ ସୁପାରିସ କରାଯାଇଥିଲା।

୬ମାସ ବ୍ୟବଧାନରେ ଏହାକୁ ଅନୁମୋଦନ ପୂର୍ବକ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଷଡଙ୍ଗୀ ଓଡିଶା ହାଇକୋର୍ଟ ବରିଷ୍ଠ ବିଚାରପତି ଥିବା ବେଳେ ଆସନ୍ତା ଜୁଲାଇ ୨୦ରେ ଅବସର ମଧ୍ୟ ଗ୍ରହଣ କରିବେ। ଅବସର ନେବାକୁ ଆଉ ମାତ୍ର ୧୭ଦିନ ଥିବା ବେଳେ ସେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି।

ପ୍ରକାଶଥାଉକି ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଂଜୟ କୁମାର ମିଶ୍ର ଅବସରଗ୍ରହଣ କରିବା ପରେ ଗତ ୨୦୨୩ ଡିସେମ୍ବର ୨୮ରୁ ପଦ ଖାଲି ପଡିଥିଲା। ଝାଡଖଣ୍ଡ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର ଦାୟିତ୍ୱ ନିର୍ବାହ କରିଆସୁଥିଲେ। ତାଙ୍କୁ ସେଠାରୁ ରାଜସ୍ଥାନ ହାଇକୋର୍ଟ ବିଚାରପତି ଭାବେ ବଦଳି କରାଯାଇଛି।

ପ୍ରକାଶଥାଉକି, ୧୯୬୨ ମସିହା ଜୁଲାଇ ୨୦ରେ ନୟାଗଡ଼ ଜିଲ୍ଲା ଓଡ଼ଗାଁର ପନ୍ତିଖାରି ଶାସନ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଷଡଙ୍ଗୀ। କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ)ରୁ ସେ ଏଲଏଲଏମ ଶିକ୍ଷା ସମାପ୍ତ କରି ୧୯୮୫ରେ ଓକିଲାତି ପେସାରେ ଯୋଗଦେଇ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ କରିଥିଲେ। ଦୀର୍ଘ ୨୭ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସରକାରୀ ବିଭାଗ ସହ ବେସରକାରୀ ତଥା ଘରୋଇ ସଂସ୍ଥା ପକ୍ଷରୁ ଦକ୍ଷତାର ସହ ମାମଲା ପରିଚାଳନା କରିଆସିଥିଲେ। ୨୦୧୩ ଜୁନ୨୦ରେ ଓଡିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଏପରିକି ସେ କିଛି ସମୟ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ବିଗତ ୧୦ବର୍ଷରୁ ଅଧିକ ହାଇକୋର୍ଟରେ ତାଙ୍କର କାର୍ଯ୍ୟକାଳ ସମୟରେ ଜଷ୍ଟିସ ଷଡ଼ଙ୍ଗୀ ପ୍ରାୟ ୧ ଲକ୍ଷ ୫୨ ହଜାରରୁ ଅଧିକ ମାମଲାର ଫଇସଲା କରିଥିବା ବେଳେ ୧୫୦୦ରୁ ଅଧିକ ମାମଲାର ରାୟ ପ୍ରକାଶ କରିଛନ୍ତି। ସମ୍ପ୍ରତି ସେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ଜଷ୍ଟିସ ଷଡଙ୍ଗୀଙ୍କ ନୂତନ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା ୨୦କୁ ହ୍ରାସ ପାଇବ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.