Type Here to Get Search Results !

ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି, ଶ୍ରୀଜୀଉଙ୍କୁ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

 


ପୁରୀ :-

ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା ସହ ଖଡ଼ି ପ୍ରସାଦ ଲାଗି ମଧ୍ୟ ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି କରାଯିବ। ଶୁଦ୍ଧ ସୁଆରଙ୍କ ଘର ଠାରୁ ଘଣ୍ଟ, ଛତା, କାହାଳି ସହ ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ।

ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ।

ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ। ଏହାପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ। ଗୋପନୀୟତା ରକ୍ଷା କରି ଦଇତା ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳିରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ। ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଶେଷ ଦଫାରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ। ଏହି ଖଳିକୁ ଶୁଦ୍ଧ ସୁଆର ମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି। ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକାରା ଯାଇଥାଏ। ବିଜେ କାହାଳି, ବଜୟନ୍ତ୍ରୀ,ଘଣ୍ଟଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗିନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ (ଦିବ୍ୟ ପ୍ରଲେପ) ଶ୍ରୀମନ୍ଦିରକୁ ବିଜେ କରାଇବେ। ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ। ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ। ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଲାଗି କରିବେ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.