Type Here to Get Search Results !

'ପିଏମ କିଷାନ'ରେ ସାମିଲ ହେବେ ସବୁ ଯୋଗ୍ୟ ଚାଷୀ

 


ଭୁବନେଶ୍ବର:-

ପିଏମ କିଷାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି, କିନ୍ତୁ ସାମିଲ ହୋଇପାରି ନାହାନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ପ୍ରଥମେ ୫୮ଟି ସବ୍ ଡିଭିଜନ (ଉପଖଣ୍ଡ)ରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ।

ପ୍ରତ୍ୟେକ ଉପଖଣ୍ଡରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ହେବା ଦ୍ବାରା ସବୁ ଅଞ୍ଚଳର ଚାଷୀ ଲାଭବାନ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶନିବାର କୃଷକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବୁଝାଇ ଥିଲେ।


ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି। ଏଥିରେ ଚାଷୀଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ। ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ କୃଷକ ସଂଗଠନଗୁଡ଼ିକ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.