Type Here to Get Search Results !

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଦୁଇଦିନ ଧରି ହେବ ରଥଟଣା; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

 



ଭୁବନେଶ୍ୱର:-

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର 'ଏକ୍ସ' ଏକାଉଣ୍ଟରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।

ଆଜି ଦେଶ ତଥା ବିଶ୍ଵର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ 'ଏକ୍ସ'ରେ ଲେଖିଛନ୍ତି, 'ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣା ଲାଭ କରି ଆମ ରାଜ୍ୟ ପ୍ରତିଟି କ୍ଷେତ୍ରରେ ବିକାଶର ଶୀର୍ଷକୁ ପହଁଚୁ ଏବଂ ସମସ୍ତଙ୍କ ସହାଭାଗିତାରେ ନୂତନ ସମୃଦ୍ଧ ଓଡ଼ିଶା ଗଠନ ହେଉ, ଏତିକି ପ୍ରାର୍ଥନା।'

ଆଜିଠୁ ବଡଦାଣ୍ଡ ଲୋକାରଣ୍ୟ ହୋଇଛି। ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ପ୍ରତ୍ୟେକ ବର୍ଷ ରଥାଯାତ୍ରା ହୁଏ ହେଲେ ଏଥର ରଥଯାତ୍ରା ହେଉଛି ଏକ ବିରଳ ରଥଯାତ୍ରା। କାରଣ ଏଥର ରଥଯାତ୍ରା ଦୁଇଦିନ ଧରି ହେବ। ଚଳିତ ବର୍ଷ ଅନବସର ପନ୍ଦର ଦିନ ପରିବର୍ତ୍ତେ ତେର ଦିନ ପଡିଥିଲା। ଫଳରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ଫଳରେ ନୀତିକାନ୍ତି ଶେଷ ହେବା ପାଇଁ ସମୟ ଲାଗୁଛି। ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ ହୋଇଯାଉଛି। ଆଜି ମନ୍ଦିର ଭିତରେ ଠାକୁରଙ୍କ ନବଯୌବନ ନୀତି ସହିତ ରଥନୀତି ମଧ୍ୟ କରାଯିବ। ସେଥିପାଇଁ ଆଜି ଦିନ ଗୋଟାଏ ବେଳେ ଶ୍ରୀଜିଉଙ୍କର ପହଣ୍ଡି ବିଜେ କରାଯିବ। ସେହିପରି ରଥଟଣା ଆଜି ଅପରାହ୍ନ ପାଞ୍ଚଟା ବେଳକୁ ହେବ। ଏତେ ଡେରିରେ ରଥଟଣା ହେଉଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ପାରିବ ନାହିଁ। ତେଣୁ ଆସନ୍ତାକାଲି ସକାଳୁ ମଧ୍ୟ ରଥଟଣା ଯିବ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.