Type Here to Get Search Results !

ବଜେଟ ପାଇଁ ଲୋକଙ୍କ ପ୍ରସ୍ତାବ ଓ ମତାମତ ଲୋଡିଲେ ମୁଖ୍ୟମନ୍ତ୍ରୀ

 



ଭୁବନେଶ୍ବର:-

ବଜେଟ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ ପାଇଁ ଲୋକଙ୍କ ପ୍ରସ୍ତାବ ଓ ମତାମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ମାନଙ୍କର ମତାମତ ନେଇ ବଜେଟ୍ର ପୂର୍ବ ପ୍ରସ୍ତୁତି କରିଆସୁଅଛି । ବର୍ତ୍ତମାନର ସରକାର ଲୋକଙ୍କ ସରକାର ।

ତେଣୁ ବଜେଟ ପ୍ରସ୍ତୁତିରେ ସାଧରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ ଅଟେ । ତେଣୁ, ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯିବାର ଆବଶ୍ୟକତା ରହିଛି ।

ଏଥିପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ, ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛନ୍ତି। ଯାହାକି ୱେବ୍-ପୋର୍ଟାଲ https://budget.odisha.gov.in/ ରେ ଉପଲବ୍ଧ । ଏହି ପରାମର୍ଶ ଗୁଡିକ e-mail ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ ।

ସେହିପରି, ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ମାଧ୍ୟମରେ (+91)9438161111 ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ । ଏହି ସୁବିଧା ଜୁନ ୨୦ ରୁ ଜୁଲାଇ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।

ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ (civil society organisations) ଓ ଅନ୍ୟାନ୍ୟ ହିତାଧିକାରୀ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.