ଘଟଗାଁ:-
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତଣ୍ଡିବେଡ଼ା ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗ୍ରାମର ତିନିଜଣଙ୍କୁ ବିଜେଡି କର୍ମୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କୁ ଆଜି ସନ୍ଧ୍ୟାରେ ଘଟଗାଁ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ତଣ୍ଡିବେଡ଼ା ଗ୍ରାମରେ ଆଜି ସକାଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ନିର୍ବାଚନକୁ କେନ୍ଦ୍ରକରି କଥା କଟାକଟି ହୋଇଥିଲା। ଅପରାହ୍ଣରେ ତଣ୍ଡିବେଡ଼ା ଗ୍ରାମର ବିଭୂତି ଭୂଷଣ ମହାକୁଡ଼, ବାପା ବିରଞ୍ଚି ମହାକୁଡ଼ ଓ ଖଣ୍ଟଘରର ରଞ୍ଜନ କୁମାର ନାୟକ ଢେଙ୍କିକୋଟ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୮/୧୦ଜଣ ବିଜେଡି କର୍ମୀ ମହୁଲଗାଡ଼ିଆ ହୁଡ଼ି ନିକଟରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଲୁହାରଡ, ଠେଙ୍ଗାରେ ମାଡ଼ମାରି ତିନିଜଣଙ୍କୁ ଲହୁଲୁହାଣ କରିଥିଲେ।
ଏଥିରେ ବିଜେପିର ପ୍ରଦୀପ ନାୟକ ଓ ରୁଦ୍ରପ୍ରସାଦ ବେହେରା ଆହତ ହୋଇଛନ୍ତି। ଉଭୟପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଯୋଗୁଁ ଡାକ୍ତରଖାନା ପରିସର ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଉଭୟ ଗୋଷ୍ଠୀଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଏନେଇ ବିଜେପି ପକ୍ଷରୁ ଘଟଗାଁ ଥାନାରେ ଇମ୍ରାନ୍ ଖାନ୍, ଶ୍ରୀକାନ୍ତ ସାହୁ, ଅଭିଷେକ ପଣ୍ଡା, ରାଜେଶ ପୃଷ୍ଟି, ମନୋରଞ୍ଜନ ସାହୁ, ବାପୁନ ବେହେରା, କୁନ୍ଦନ ସାହୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ବିଜେଡି କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଯାଏ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି। ଏନେଇ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।