ବିଡ୍ :-
ଛତିଶଗଡ଼ରୁ ଅପହରଣ କରିନେଇଥିବା ୪ ଜଣ ଯୁବକଙ୍କୁ ମଙ୍ଗଳବାର ନକ୍ସଲମାନେ ଛାଡିଦେଇଛନ୍ତି । ସେମାନଙ୍କ ମଧ୍ୟରେ ରାଜସ୍ଥାନ ଓ ହରିଆଣାର ଜଣେ ଲେଖାଏ ହୋଇଥିବା ବେଳେ ଓଡ଼ିଶାର ୨ ଜଣ ଯୁବକ ଅଛନ୍ତି । ରାଜସ୍ଥାନର ଡିଗ୍ ଜିଲ୍ଲା ଏସ୍ପି ରାଜେଶ କୁମାର ଆଜି ଏହି ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ଅନୁସାରେ ରାଜସ୍ଥାନରୁ ଅପହୃତ ହୋଇଥିବା ଯୁବକଙ୍କ ନାମ ଫୈଜଲ ।
ସେପଟେ ପରିବାର ଲୋକେ ଭୟଭୀତ ହୋଇପଡିବା ସହ ପୁଲିସରେ କୌଣସି ବିଧିବଦ୍ଧ ଅଭିଯୋଗ କରି ନଥିଲେ । ବରଂ ସେମାନେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କମ୍ପାନି ଠାରୁ ସେମାନଙ୍କୁ କୌଣସି ଉତ୍ତର ମିଳି ନଥିଲା । ଯାହାଫଳରେ ଫୈଜଲଙ୍କ ପରିବାର ନିଜର ସମସ୍ତ ଜମି ଓ ସମ୍ପତ୍ତି ବିକ୍ରି କରି ତାଙ୍କୁ ମୁକାଳିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ମଙ୍ଗଳବାର କମ୍ପାନି କର୍ତ୍ତୃପକ୍ଷ ନକ୍ସଲଙ୍କ ଦାବି ଅନୁସାରେ ୧.୫ କୋଟି ଟଙ୍କା ଦେଇଥିବା ଜଣାପଡିଥିଲା । ଯାହାଫଳରେ ନକ୍ସଲମାନେ ପଣବନ୍ଦୀ କରିଥିବା ୪ ଜଣ କର୍ମଚାରୀଙ୍କୁ ଟଙ୍କା ମିଳିବାର ୩ ଘଣ୍ଟା ପରେ ମୁକ୍ତ କରିଛନ୍ତି । ମାଲକାନଗିରି ଏସ୍ପି ନୀତେଶ ୱାଧୱାନି କହିଛନ୍ତି ଏହି ଘଟଣା ଓଡ଼ିଶାରେ ଘଟିନାହିଁ । ଛତିଶଗଡର ବିଜାପୁରରେ ଘଟିଛି । ଫୈଜଲ କାମ କରୁଥିବା କମ୍ପାନି ନକ୍ସଲଙ୍କୁ ଦାବି ମୁତାବକ ଟଙ୍କା ଦେବା ପରେ ସେମାନେ ଅପହୃତ ୪ କର୍ମଚାରୀଙ୍କୁ ଛାଡିଛନ୍ତି ।


